କନକ ବ୍ୟୁରୋ : ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିଯୁକ୍ତି ଆୟୋଗ ଅଧ୍ୟକ୍ଷ ମାନଙ୍କ ସହିତ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ବରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ବିଭାଗରେ ଖାଲି ଥିବା ପଦବୀ ଗୁଡିକ ଶୀଘ୍ର ପୂରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆଗାମୀ ୫ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଢ ଲକ୍ଷ ସରକାରୀ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । ୨ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି । ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବିଭାଗରେ ୧ ଲକ୍ଷ ୧୦ ହଜାର ୫୫୭ଟି ପଦବୀ ଖାଲି ରହିଛି । ମାର୍ଚ୍ଚ ୩୧ ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ଆୟୋଗ ଗୁଡିକୁ ପ୍ରସ୍ତାବ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରୁପ-ବି ବର୍ଗର ପଦବୀ ପୂରଣ ପାଇଁ ଏମପାୱାରମେଣ୍ଟ କମିଟିର ଅନୁମୋଦନ ଦରକାର ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଅବିଭକ୍ତ କୋରାପୁଟ ଜିଲ୍ଲାର ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଜୟପୁର ଠାରେ ଲୋକସେବା ଆୟୋଗର ଏକ ପରୀକ୍ଷା କେନ୍ଦ୍ର କରିବାକୁ ପ୍ରସ୍ତାବ ଦିଆଯାଇଛି ।