କନକ ବ୍ୟୁରୋ : ଆଶା ଥିଲା ନୂଆସରକାରରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବଦଳିବ। ହେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ସଂସଦରେ ଦେଇଥିବା ଏ ତଥ୍ୟ ସମସ୍ତଙ୍କୁ ଚମକାଇ ଦେଇଛି। ରାଜ୍ୟରେ ନୂଆ ଆୟୁଷ କଲେଜ ଖୋଲିବା ରାଜ୍ୟ ସରକାରଙ୍କ ଅଧୀନ। ହେଲେ ଏଥିପାଇଁ ଜାତୀୟ ଆୟୁଷ ମିସନ୍ରେ ଅନୁଦାନ ଦେବା ବ୍ୟବସ୍ଥା ରହିଛି। କିନ୍ତୁ ଓଡ଼ିଶା ସରକାର ଏଥିପାଇଁ ଦାବି କି ପ୍ରସ୍ତାବ ଦେଇନଥିବା ମନ୍ତ୍ରୀ କହିଛନ୍ତି। ତେଣୁ ଦାବି ନ ଜଣାଇଲେ କେମିତି ସହାୟତା ମିଳିବ ବୋଲି ପ୍ରଶ୍ନ ଉଠିଛି।
ସେପଟେ ଗ୍ରାମୀଣ ଭିତ୍ତିଭୂମିର ଚିତ୍ର। କଙ୍କଡ଼ାହାଡ଼, କାମାକ୍ଷାନଗରଠାରୁ ଆରମ୍ଭ କରି ପିପିଲି, ଅସ୍ତରଙ୍ଗ ପର୍ୟ୍ୟନ୍ତ ସବୁଠି ଆୟୁଷ ଡାକ୍ତରଖାନାର ବିକଳଚିତ୍ର ଦେଖିବାକୁ ମିଳୁଛି। କେଉଁଠି ରୋଗୀ ଡାକ୍ତରଙ୍କୁ ଦେଖି ନାହାନ୍ତି ତ ଆଉ କେଉଁଠି ଡାକ୍ତର ଆସି ପଳାଉଛନ୍ତି।
ଓଡ଼ିଶାରେ ରହିଛି ମାତ୍ର ୩ଟି ସରକାରୀ ଆୟୁଷ କଲେଜ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଗଞ୍ଜାମ ଅକୁଶପୁରରେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ କଲେଜ ଓ ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜ। ଏହାକୁ ଛାଡ଼ି ଭୁବନେଶ୍ୱର, ବାରିପଦା ଓ ବରଗଡ଼ର ପାଇକମାଳଠାରେ ୩ଟି ଘରୋଇ ଆୟୁର୍ବେଦ କଲେଜ ବି ରହିଛି। ଏହି ୬ ଟି ଯାକ ଅନୁଷ୍ଠାନରେ ସିଟ୍ କ୍ଷମତା ୩୦ ଲେଖାଏଁ ରହିଥିଲାବେଳେ କୋର୍ସ ଡ୍ୟୁରେସନ୍ ସାଢ଼େ ୫ ବର୍ଷ। ଅର୍ଥାତ୍ ସାଢ଼େ ୫ ବର୍ଷରେ ରାଜ୍ୟରେ ମାତ୍ର ୧୮୦ ଜଣ ଆୟୁଷ ଡାକ୍ତର ବାହାରି ପାରିବେ। ତେବେ ଏ କଥା ପଚାରିଲା ବେଳକୁ ପଳାଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ରାଜ୍ୟର ୩୦ ଜିଲ୍ଲାରେ ୬୧୯ ଆୟୁର୍ବେଦ, ୫୬୦ ହୋମିଓପାଥି ଓ ୯ଟି ୟୁନାନି ହସ୍ପିଟାଲ୍ ରହିଛି। ଅନ୍ୟ ଡାକ୍ତରଖାନା ଭଳି ଏଠାରେ ବି ରୋଗୀଙ୍କ ଭିଡ଼ ଲାଗେ। ହେଲେ ଡାକ୍ତର ଅଭାବ ଯୋଗୁଁ ଏହି ଆୟୁଷ ଡାକ୍ତରଖାନାଗୁଡ଼ିକ ଉଚିତ୍ ରୋଗୀସେବା ଯୋାଗାଇ ପାରୁନଥିବା ଜଣାପଡ଼ିଛି।
Follow Us