କନକ ବ୍ୟୁରୋ : ୬ ମାସ ହୋଇଗଲା । କିନ୍ତୁ ରାଜ୍ୟକୁ ମିଳିଲାନି ରାଜ୍ୟ କଂଗ୍ରେସ ମୁଖିଆ । ବର୍ତମାନ ସ୍ଥିତିରେ ରାଜ୍ୟରେ କଂଗ୍ରେସକୁ ଉପରକୁ ଉଠିବା ପାଇଁ ସୁଯୋଗ ଅଛି । କଂଗ୍ରେସ ନେତାଙ୍କ ମଧ୍ୟରେ ଏଭଳି ଆଲୋଚନା ଚାଲିଛି ।  ମୁଖିଆ ନଥିବାରୁ ସଙ୍ଗଠନ ନିଷ୍କ୍ରିୟ ରହିଛି । ପ୍ରସଙ୍ଗ ଥିଲେ ବି ବଡ ବଡ ନେତା ଆଗକୁ ଆସୁନାହାନ୍ତି । ବି.ଆର ଆମ୍ବେଦକର ପ୍ରସଙ୍ଗରେ ଦେଶସାରା କଂଗ୍ରେସ ଆନ୍ଦୋଳନ  କରିଥିଲେ ବି  ରାଜ୍ୟରେ ଦଳ ସୁପ୍ତ ଅବସ୍ଥାରେ ରହିଲା ଏଆଇସିସିରୁ ନିର୍ଦ୍ଦେଶ ଆସିଥିଲେ ବି ନାଁକୁ ଭୁବନେଶ୍ବରରେ ଛୋଟକାଟିଆ ଆନ୍ଦୋଳନ କରି  କାମ ସାରିଦେଲେ ଯୁବ ନେତା । ପିସିସି ସଭାପତି ଘୋଷଣା ହେଉ ନ ଥିବାରୁ ବଡ ବଡ ନେତା ସଙ୍ଗଠନକୁ ସମୟ ଦେଲେ ନାହିଁ । ଫଳରେ ବଡ ନେତା ଛକାପଂଝା ଅବସ୍ଥାରେ ରହୁଛନ୍ତି  । ତେଣୁ ଲୋକଙ୍କଠାରୁ ଧିରେ ଧିରେ ଦୂରେଇ ଯାଉଛି କଂଗ୍ରେସ ।

Advertisment

ପ୍ରସଙ୍ଗ ଥିଲେ ବି କଂଗ୍ରେସ ସକ୍ରିୟ ନଥିବାରୁ ମାଇଲେଜ ନେଉଛି ବିଜେଡି । କେନ୍ଦ୍ରୀୟ ନେତା ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନଙ୍କ ରିପୋର୍ଟ ପରେ ବି ଘୋଷଣା ହୋଇପାରିଲାନାହିଁ ପିସିସି ସଭାପତିଙ୍କ ନାଁ ।  ଏବେ କୁହାୟାଉଛି, ଅଜୟ କୁମାର ରାଜ୍ୟ ପ୍ରଭାରୀ ପଦରୁ ବିଦା ହେଲା ପରେ ପିସିସ ସଭାପତିଙ୍କ ନାଁ ଘୋଷଣା ହେବ । କିନ୍ତୁ କେବେ ହେବ ତାର ଉତର କାହା ପାଖରେ ନାହିଁ । ଫଳରେ କଂଗ୍ରେସ କ୍ୟାଡରରେ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି । 

ଡିସେମ୍ବର ୨୬ରେ କର୍ଣ୍ଣାଟକର ବେଲଗାଭିରେ ସିଡବ୍ଲୁସି ବୈଠକ ବସିବ । ଏଥିରେ ସବୁ ରାଜ୍ୟରେ ପିସିସି ସଭାପତି ଯୋଗଦେବେ ଓ ନିଜ ରାଜ୍ୟର ସଙ୍ଗଠନ ନେଇ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିବେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡିଶାର ପ୍ରସଙ୍ଗ ଉଠାଇବାକୁ ରାଜ୍ୟ ମୁଖିଆ ନାହାନ୍ତି । ଆଉ ତୃଣମୂଳସ୍ତରରେ ଦଳ ପଂହଚିବାକୁ ଉଦ୍ୟମ ହେଉନଥିବାରୁ  କଂଗ୍ରେସ ଲୋକଙ୍କଠାରୁ ଧିରେ ଧିରେ ଦୂରେଇଯାଉଛି ବୋଲି ଚର୍ଚ୍ଚା ହେଉଛି।