କନକ ବ୍ୟୁରୋ: କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ? ମନମୋହନ ସାମଲ ରିପିଟ୍ ହେବେ ନା ଆଉ କାହାକୁ ଦିଆଯିବ ଦାୟିତ୍ବ? ଆଜି ଭୁବନେଶ୍ବରରେ ବିଜେପି କୋର୍ କମିଟି ବୈଠକରେ ଏନେଇ ମାନସ ମନ୍ଥନ ହୋଇଛି। ଏଥିସହ ସାଂଗଠନିକ ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଓ ରାଜ୍ୟର ବିଭିନ୍ନ ନିଗମରେ ଖାଲିଥିବା ଅଧ୍ୟକ୍ଷ ପଦ ପୂରଣ ନେଇ ମଧ୍ୟ ହୋଇଛି ଆଲୋଚନା। 

Advertisment

ଦିନେ ଦୁଇଦିନ ଭିତରେ ଘୋଷଣା ହୋଇପାରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ। କାହାକୁ ମିଳିବ ଏହି ଗୁରୁ ଦାୟିତ୍ବ? ପୁଣିଥରେ ରିପିଟ ହେବେ କି ମନମୋହନ ସାମଲ ? ନା ଆଉ କାହାକୁ ଦିଆଯିବ ରାଜ୍ୟ ନେତୃତ୍ୱ? ଆଜି ବିଜେପି କୋର୍ କମିଟି ବୈଠକରେ ଏ ବିଷୟରେ ମାନସ ମନ୍ଥନ ହୋଇଛି। ଦିଲ୍ଲୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣାରେ ବିଳମ୍ବ ହୋଇଥିବା ବିଜେପିର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। 

ଚଳିତ ମାସ ଶେଷ ସୁଦ୍ଧା ସରିବ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକିୟା। ରାଜ୍ୟର ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ପୂରଣ, ବୋର୍ଡ, କମିଶନ ଓ ଯୋଜନା ବୋର୍ଡକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଏପର୍ୟ୍ୟନ୍ତ ଆହୁରି ୧୦ରୁ ଅଧିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇନି। ଏସବୁ ବାଦ୍ ସରକାର ଓ ସଂଗଠନ ଭିତରେ କିପରି ସମନ୍ବୟ ଆହୁରି ସୁଦୃଢ ହେବ, ଲୋକଙ୍କ ପାଖରେ କିପରି ସୁଶାସନ ପହଞ୍ଚିବ ଏବଂ ଜିଲ୍ଲାୱାରି, ମଣ୍ଡଳ ଓ ବୁଥ୍ ସ୍ତରୀୟ କମିଟି ଗଠନ ଉପରେ କୋର୍ କମିଟି ବୈଠକରେ ଗୁରୁତ୍ବାରୋପ କରାଯାଇଛି। 

ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ପ୍ରଭାରୀ ବିଜୟପାଲ ସିଂ ତୋମାର, ସାଂସଦ ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।