କନକ ବ୍ୟୁରୋ : ପିଜି ନାମଲେଖା ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି ସରକାର । ଏଥିପାଇଁ ମାର୍ଚ୍ଚ ୧୦ ତାରିଖ ଅର୍ଥାତ ସୋମବାରରୁ କମନ ଆପ୍ଲିକେସନ ଫର୍ମ ଭରଣ ପ୍ରକ୍ରିୟା ଆରମ୍ଭ ହେବ । ପ୍ରବେଶିକା ପରୀକ୍ଷା ପରେ ଜୁଲାଇ ୧୦ରୁ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବ । କିନ୍ତୁ ଅଧିକାଂଶ ବିଶ୍ବବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ପ୍ରଫେସର ଓ ଅଧ୍ୟାପକ ପଦବୀ ଖାଲିପଡିଛି । ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ,
- ୧୭ଟି ବିଶ୍ୱବିଦ୍ୟାଳୟରେ ୯୬୩ ଜଣ ଗେଷ୍ଟ ଫାକଲଟି ପଢ଼ାଉଛନ୍ତି
- ଉତ୍କଳ, ଓ ରେଭେନ୍ସାରେ ସବୁଠୁ ଅଧିକ ପଦବୀ ଫାଙ୍କା ପଡ଼ିଛି
ଆବଶ୍ୟକ ପ୍ରଫେସର ନଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପାଠପଢାକୁ ନେଇ ହାତ ଟେକିଦେଲେଣି ।
ଉତ୍କଳ ବିଶ୍ବବିଦ୍ୟାଳୟରେ ୧୩୩ଟି ଶିକ୍ଷକ ପଦବୀ ଖାଲି ପଡିଛି । ସେହିଭଳି ବିଧାନସଭା ଶୀତ ଅଧିବେଶନରେ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ କଳାହାଣ୍ଡିସ ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା ରମାଦେବୀ ଓ ଗଙ୍ଗାଧର ମେହେର ଭଳି ପ୍ରମୁଖ ବିଶ୍ବବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ।
ବିଶ୍ବବିଦ୍ୟାଳୟ ଖାଲିପଡ଼ିଥିବା ସ୍ଥାନ
-କଳାହାଣ୍ଡି ୧୦୮
-ବ୍ରହ୍ମପୁର ୮୩
-ସମ୍ବଲପୁର ୬୩
-ରେଭେନ୍ସା ୧୫୬
-ରମାଦେବୀ ୭୭
-ଗଙ୍ଗାଧର ମେହେର ୭୨
ଏହାରିଭିତରେ ଅନେକ ପ୍ରଫେସର ଓ ଅଧ୍ୟାପକ ଅବସର ନେଇସାରିଛନ୍ତି । ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆକଳନ କରାଯାଉଛି । ଏହାକୁ ନେଇ ରାଜନୀତି ଜୋର ଧରିଛି ।
ଉଚ୍ଚଶିକ୍ଷାନୁଷ୍ଠାରେ ପ୍ରଫେସର ପଦ ଫାଙ୍କା ପଡିଛି । ଅତିଥି ଅଧ୍ୟାପକ ଉପରେ ଭରସା କରୁଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଏଭଳି ଅଚଳାବସ୍ଥା ଆଉ କେତେଦିନ ଚାଲିବ ତାକୁ ନେଇ ପ୍ରଶ୍ନ ଉଠିଛି ।