Photograph: (KANAKNEWS)
କନକବ୍ୟୁରୋ : ଅପେକ୍ଷାର ଘଟିଲା ଅନ୍ତ...ବଡ଼ ଦାଣ୍ଡରେ ଗଡ଼ିଲା ତାଳଧ୍ବଜ, ନନ୍ଦିଘୋଷ ଓ ଦେବଦଳନ ରଥ । ସୁରୁଖୁରୁରେ ରଥାଯାତ୍ରା ଅନୁଷ୍ଠିତ ହୋଇଛି । ଗ୍ରାଉଣ୍ଡରେ ରହି ତମାମ ବ୍ୟବସ୍ଥାର ନୀରିକ୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ମଣ୍ଡଳର ଏକାଧିକ ସଦସ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ତମାମ ପୁରୀରେ ରହି ରଥଯାତ୍ରାର ସୁପରିଚାଳନାକୁ ଅନୁଧ୍ୟାନ କରିଛନ୍ତି ।
ବଡ଼ଦାଣ୍ଡରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ସହ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ପାର୍ଶ୍ବରେ ଖୋଲାଯାଇଥିବା ଷ୍ଟଲରେ ଶ୍ରଦ୍ଧାଳୁମାନଙ୍କୁ ଟଙ୍କ ତୋରାଣି ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ମଣ୍ଡଳର ଅନ୍ୟ ବରିଷ୍ଠ ମନ୍ତ୍ରୀ ମାନେ ମଧ୍ୟ ବଡ଼ଦାଣ୍ଡରେ ରହି ବିଭିନ୍ନ ବ୍ୟବସ୍ଥାର ସୁପରିଚାଳନା କରିଥିବା ଦେଖିବାକୁ ମିଳିଛି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ମଧ୍ୟ ପୁରୀ ଆସି ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦ ସେବା ବିଭାଗ ତରଫରୁ ଆୟୋଜିତ ଅନ୍ନଦାନ ସେବାରେ ସାମିଲ ହୋଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବାଣ୍ଟିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହା ପୂର୍ବରୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଜଗଦଗୁରୁ ସ୍ୱାମୀ ରାମ ଭଦ୍ରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକ। ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ଓ ନେତା ମାନେ ମଧ୍ୟ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରଥଯାତ୍ରାରେ ସଭିଏଁ ହୋଇଛନ୍ତି ଏକାକାର। ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ହାତଯୋଡ଼ି ସର୍ବସ୍ବ ସମର୍ପିଦେଇ ବିଶ୍ବର କଲ୍ୟାଣ କାମନା କରିଛନ୍ତି ଜନତାଙ୍କ ଠାରୁ ନେଇ ଜନ ପ୍ରତିନିଧି।
Follow Us