କନକବ୍ୟୁରୋ : ଅପେକ୍ଷାର ଘଟିଲା ଅନ୍ତ...ବଡ଼ ଦାଣ୍ଡରେ ଗଡ଼ିଲା ତାଳଧ୍ବଜ, ନନ୍ଦିଘୋଷ ଓ ଦେବଦଳନ ରଥ । ସୁରୁଖୁରୁରେ ରଥାଯାତ୍ରା ଅନୁଷ୍ଠିତ ହୋଇଛି ।  ଗ୍ରାଉଣ୍ଡରେ ରହି ତମାମ ବ୍ୟବସ୍ଥାର ନୀରିକ୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ମଣ୍ଡଳର ଏକାଧିକ ସଦସ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ତମାମ ପୁରୀରେ ରହି ରଥଯାତ୍ରାର ସୁପରିଚାଳନାକୁ ଅନୁଧ୍ୟାନ କରିଛନ୍ତି ।

Advertisment

ବଡ଼ଦାଣ୍ଡରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ସହ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ।  ପାର୍ଶ୍ବରେ ଖୋଲାଯାଇଥିବା ଷ୍ଟଲରେ ଶ୍ରଦ୍ଧାଳୁମାନଙ୍କୁ ଟଙ୍କ ତୋରାଣି ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ  ।   ମନ୍ତ୍ରୀ ମଣ୍ଡଳର ଅନ୍ୟ ବରିଷ୍ଠ ମନ୍ତ୍ରୀ ମାନେ ମଧ୍ୟ ବଡ଼ଦାଣ୍ଡରେ ରହି ବିଭିନ୍ନ ବ୍ୟବସ୍ଥାର ସୁପରିଚାଳନା କରିଥିବା ଦେଖିବାକୁ ମିଳିଛି  ।  

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ମଧ୍ୟ ପୁରୀ ଆସି ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି  ।  ବିଶ୍ୱ ହିନ୍ଦୁ ପରିଷଦ ସେବା ବିଭାଗ ତରଫରୁ ଆୟୋଜିତ ଅନ୍ନଦାନ ସେବାରେ ସାମିଲ ହୋଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବାଣ୍ଟିଛନ୍ତି କେନ୍ଦ୍ରମନ୍ତ୍ରୀ । 

ଏହା ପୂର୍ବରୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଜଗଦଗୁରୁ ସ୍ୱାମୀ ରାମ ଭଦ୍ରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକ।  ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ଓ ନେତା ମାନେ ମଧ୍ୟ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।  ରଥଯାତ୍ରାରେ ସଭିଏଁ ହୋଇଛନ୍ତି ଏକାକାର। ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ହାତଯୋଡ଼ି ସର୍ବସ୍ବ ସମର୍ପିଦେଇ ବିଶ୍ବର କଲ୍ୟାଣ କାମନା କରିଛନ୍ତି ଜନତାଙ୍କ ଠାରୁ ନେଇ ଜନ ପ୍ରତିନିଧି।