କନକ ବ୍ୟୁରୋ: ସରୁନି ସୀମାର ଦୁଃଖ । ଗଞ୍ଜାମକୁ ଲାଗିଥିବା ସୀମା ଉପରେ ଆଖି ପକାଇଛି ଆନ୍ଧ୍ର । ରାଜସ୍ବ ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସୀମା ବିବାଦର ସମାଧାନ ହେବ। ଆବଶ୍ୟକ ପଡ଼ିଲେ ସୀମା ପୁନଃନିର୍ଦ୍ଧାରଣ କରାଯିବ ।
ଆନ୍ଧ୍ରକୁ ଲାଗିଥିବା ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ । ପାଦ ବଢ଼େଇଲେ ଆନ୍ଧ୍ର । ରାସ୍ତା ଡେଇଁଲେ ରାଜ୍ୟର ନାଁ ବଦଳିଯାଏ । ଗାଁ ଦାଣ୍ଡ ବି ଦୁଇ ରାଜ୍ୟରେ ଯାଉଥିବାରୁ ଅଧା ରାସ୍ତାରେ କେବେ ଠପ୍ ହୋଇଯାଏ ବିକାଶ, କେବେ ସରକାର ଚାହିଲେ ବି ଉନ୍ନୟନ ପାଇଁ ମିଳେନି ଅନୁମତି । ଜାତୀୟ ରାଜପଥରେ ଗିରିସୋଲା ପରେ ଆନ୍ଧ୍ର ଆସେ । ସେଥିପାଇଁ ଆନ୍ଧ୍ର ପୁଲିସ ଏଠି ପଇଁତରା ମାରନ୍ତି । ହେଲେ ଆଖି ପାଉନଥିବା ଏ ଚାଷ ଜମି, ଗାଁ ଗଣ୍ଡା ଆଉ ଗ୍ରାମାଞ୍ଚଳ ରାସ୍ତାରେ କେଉଁଠି ଆନ୍ଧ୍ରରେ ପଶିଛି ଓଡ଼ିଶା ସୀମା ତ କେଉଁଠି ଓଡ଼ିଶାକୁ ଧସେଇ ପଶିଛି ଆନ୍ଧ୍ର । ଫଳରେ ଚିକିଟି, ପାତ୍ରପୁର ଭଳି ବ୍ଲକର ଏଭଳି ବହୁ ଗାଁ ରହିଛି ଯେଉଁଠି ବିକାଶ କରିବା ସମ୍ଭବ ହେଉନି ।
ସେପଟେ ସୀମା ବିବାଦକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ଖାଲି ଆନ୍ଧ୍ର - ଗଞ୍ଜାମ ସୀମା କାହିଁକି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସୀମା ବିବାଦର ସମାଧାନ ହେବ । ଆବଶ୍ୟକ ପଡ଼ିଲେ ସୀମା ପୁନଃନିର୍ଦ୍ଧାରଣ କରାଯିବ । ଏହା ପରେ ସୀମା ବିବାଦ ତୁଟିବା ନେଇ ଆଶା ଫେରିଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ୯ଟି ପଞ୍ଚାୟତର ୪୦ଟି ଗାଁ ଆନ୍ଧ୍ର ସୀମାନ୍ତରେ ରହିଛି । ପୂର୍ବରୁ କିଛି ଗାଁରେ ଆନ୍ଧ୍ର ଅନୁପ୍ରବେଶ କରିଥିବା ନଜର ରହିଛି ।