କନକ ବ୍ୟୁରୋ: କନ୍ଧମାଳ ଦାରିଙ୍ଗିବାଡିର ମାଣ୍ଡିପଙ୍କା ଗାଁର ଆମ୍ବ ଟାକୁଆ ଜାଉ ମାମଲା ଓଡିଶା ମୁଣ୍ଡରେ ଅପବାଦର ଟିକା ଲଗାଇଛି। ହେଲେ, ଏହି ଗାଁ ବିକାଶର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି। ଓଡିଶାର ଲକ୍ଷ ଲକ୍ଷ ଗାଁ ଏବେ ବି କେମିତି ଅବହେଳିତ ଓ ବିକାଶ ଠାରୁ ବହୁ ଦୂରରେ ରହିଛି ତାହା ସାମନାକୁ ଆଣିଛି।
- ବିକାଶଠାରୁ ବହୁଦୂରରେ ମାଣ୍ଡିପଙ୍କା
- ଗାଁର ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ
କନ୍ଧମାଳ ଆଦିବାସୀ ଅଧୁଷିତ ଅଞ୍ଚଳର ଲୋକେ ଆଜି ବି କାହିଁକି ଆମ୍ବ ଟାକୁଆ ଜାଉ ଖାଉଛନ୍ତି, ସେମାନଙ୍କୁ କଣ ଖାଇବା ପାଇଁ ଯଥେଷ୍ଟ ପରିମାଣର ଖାଦ୍ୟ ମିଳୁ ନାହିଁ କି? ଏହାକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବାବେଳେ ଗ୍ରାଉଣ୍ଡଜିରୋକୁ ଯାଇ ଅନୁଧ୍ୟାନ କରିଥିବା କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପରିଦର୍ଶକକାରୀ କମିଟି ସାଂଘାତିକ ସତ ସାମନାକୁ ଆଣିଛି। କେବିକେ ଭଳି କନ୍ଧମାଳ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ଆଣିବାକୁ ସୁପାରିଶ କରିଛନ୍ତି।
ମାଣ୍ଡିପଙ୍କାର ସତ..
- ଗାଁଠାରୁ ରାସନ ଦୋକାନର ଦୂରତା ୯ କିଲୋମିଟର
- ସମସ୍ତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ
- ଅଧିକାଂଶ ଲୋକ ଦିନ ମଜୁରିଆ ନଚେତ ପ୍ରବାସୀ ଶ୍ରମିକ
- ସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟ ପରିଛନ୍ନତା ନେଇ ସଚେତନତାର ଅଭାବ
- ବିଶୁଦ୍ଧ ପାନୀୟ ଜଳର ଅଭାବ ସହ ଆହୁରି ଅନେକ କ୍ଷେତ୍ରରେ ବିକାଶ ଅପହଞ୍ଚ ହୋଇ ରହିଛି
ବଡ କଥା ହେଉଛି କେବଳ ଏହି ଗୋଟିଏ ଗାଁ ନୁହେଁ। ରାଜ୍ୟର ଏମିତି ଅନେକ ଗାଁ ଅଛି। ଯେଉଁଠି ଆଦିବାସୀମାନେ ସେମିତି ଦାରିଦ୍ର୍ୟରେ ପେଶି ହେଉଛନ୍ତି। ସେମିତି ଏକ ଗାଁ ଗଜପତି ମୋହନା ବ୍ଲକ ବୁଲଡାପଙ୍କାରେ ପହଞ୍ଚିଥିଲା କନକ ନ୍ୟୁଜ୍ ଟିମ୍। ଆଉ ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଥିଲା । ତେବେ ଆଦିବାସୀ ଅଧ୍ୟୁଷିତ ବୁଲଡାପଙ୍କା ଗାଁର ଲୋକେ ଜଙ୍ଗଲି ଚେର ମୂଳ ଓ ଛତୁକୁ ଆଣି ଶୁଖାଇ ତାକୁ ସାଇତି ରଖୁଛନ୍ତି। ଅଭାବ ପଡିଲେ ତାକୁ ପାଣିରେ ଭିଜାଇ ରୋଷେଇ କରି ଖାଉଛନ୍ତି। ଯାହାକି ଅନେକ ସମୟରେ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି।
ପ୍ରଶ୍ନ ଉଠୁଛି, ଆଉ କେତେ ବର୍ଷ ପରେ ସମସ୍ତଙ୍କୁ ଯଥେଷ୍ଟ ପରିମାଣରେ ଖାଦ୍ୟ ମିଳିବ? କେବେ ଭୋକ ବିକଳରେ କେହି ଅଖାଦ୍ୟ ଖାଇବେନି ?