କନକ ବ୍ୟୁରୋ: ମହାଦେବ ଶିବ, ସେ ସତ୍ୟ ସୁନ୍ଦର। ସେ ତ୍ରିଗୁଣମୟ ବ୍ରହ୍ମା, ବିଷ୍ଣୁ ବିଷ୍ଣୁ ଓ ରୁଦ୍ର । ମଣିଷ ପାଳନ କରୁଥିବା ଅନେକ ବ୍ରତ ଭିତରେ ମହାଶିବରାତ୍ରୀ ସବୁଠୁ ଅନନ୍ୟ। ଶାସ୍ତ୍ର କୁହେ, ମହାଶିବରାତ୍ରୀରେ କେବଳ ଯଦି ଶିବଙ୍କ ନାମକୁ କେବଳ ଶ୍ରବଣ, ଚିନ୍ତନ ବା ଜପ କରିଥାଏ ଭାବରେ ହେଉ, ଅଭାବନରେ ହେଂଉଏ ଜ୍ଞାତରେ ହେଉ ଅଜ୍ଞାତରେ ହେଉ, ତ୍ରତାପରୁ ମନୁଷ୍ୟ ଉଦ୍ଧାର ପାଇଥାଏ। ଏବଂ ଜନ୍ମ ଜନ୍ମର ପୁଣ୍ୟ ମିଳିଥାଏ ଏ ମନୁଷ୍ୟ।
ଉତ୍କଳ ଭୂମି , ଶୈବ ଭୂମି ନାମରେ ପରିଚିତ, ପାବନ ପୁରୁଷୋତ୍ତମ କ୍ଷେତ୍ର, ଶଂଖ କ୍ଷେତ୍ରର ଅଗ୍ର ଭାଗରେ ବିରାଜିତ ଲୋକନାଥ , ଗୋଟିଏ ପଟେ ଜଗନ୍ନାଥ, ଗୋଟିଏ ପଟେ ଲୋକନାଥ। ଠିକ ସେଭଳି ଲିଙ୍ଗଙ୍କ ମଧ୍ୟରେ ରାଜା ଶ୍ରୀଲିଙ୍ଗରାଜ, ଯାହାଙ୍କ ପୂଜାରେ ଲାଗେ ଉଭୟ ବିଲ୍ବ ଓ ତୁଳସୀ ପତ୍ର । ସେଥିପାଇଁ ସେ ହର ପୁଣି ହରି । ଏହାକୁ ବାରମ୍ବାର ପ୍ରତିଷ୍ଠା କରିବାକୁ ଏଠାରେ ଜାଗର ଦିନ ହୁଏ ହରିହର ଭେଟ।
ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ମଧ୍ୟରେ ଶିବରାତ୍ରୀ ଶ୍ରେଷ୍ଠ ତଥା ସର୍ବକାମପ୍ରଦ ବ୍ରତ । ଜାବାଳି ଶ୍ରୁତି ଅନୁସାରେ, ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରୀ ଅତ୍ୟନ୍ତ ସିଦ୍ଧିଦାୟକ । ଭାରତରେ ଥିବା ଦ୍ବାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ଏହି ପର୍ବ ବେଶ୍ ଭକ୍ତି ଉଲ୍ଲାସର ସହ ପାଳନ କରାଯାଏ। ପୁରାଣ କୁହେ, ଦେବଦେବ ମହାଦେବଙ୍କଦ୍ବାରା ଏହି ଦିନ ସଂସାର ପ୍ରକଟଣ ହୋଇଥିଲା ବୋଲି ବିଶ୍ବାସ ରହିଛି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରଙ୍କ ଦ୍ବାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସବୁ ବିଷକୁ ପାନ କରି ଏ ଧରାଧାମକୁ ମହାବିପତ୍ତିରୁ ରକ୍ଷା କରିଥିଲେ ମହାଦେବ। ହେଲେ ବିଷପାନ କରିବା ପରେ ମୁର୍ଚ୍ଛା ହୋଇଯାଇଥିଲେ। ତାଙ୍କର ସଂଜ୍ଞା ନଫେରିବା ଯାଏଁ ଦେବ ଗଣ ଓ ଶୈବଗଣ ଅଖଣ୍ଡ ଦୀପ ଜାଳି ରାତି ଉଜାଗର ହୋଇ ବସିଥିଲେ। ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରୀ ପାଳନ କରିଥାନ୍ତି । ଏବଂ ମହାଦେବଙ୍କୁ ନିଜ ମନୋକାମନା ଜଣାଇ ରାତି ଉଜାଗର ରହି ତାଙ୍କ ନାମ ସ୍ମରଣ କରିବା ସହ ଦୀପ ଜାଳନ୍ତି। ଏହା ମଧ୍ୟ କୁହାଯାଏ, ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରୀ ଭାବେ ପାଳନ କରାଯାଏଲ।
ପୌରାଣିକ କଥା ଅନୁସାରେ, ଜମ୍ବୁଦୀପର ରାଜା ଚିତ୍ରଭାନୁ ପୂର୍ବ ଜନ୍ମରେ ଜଣେ ଶିକାରୀ ଥିଲେ। ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହୋଇଯିବାରୁ ବାଟବଣା ହୋଇଗଲେ। ନିଜ କୁଡିଆକୁ ଆଉ ଫେରିନପାରି ରାତିରେ ଘଞ୍ଚ ଜଙ୍ଗଲରେ ହିଂସ୍ର ଜୀବଜନ୍ତୁଙ୍କ ଠାରୁ ରକ୍ଷା ପାଇବାକୁ ଏକ ବେଲ ଗଛ ଉପରେ ଚଢିଗଲେ। ହେଲେ ତାଙ୍କୁ ଜଣାନଥିଲା ତା ତଳେ ଥିଲା ଏକ ଶିବ ଲିଙ୍ଗ। ରାତି ସାରା ଅଜାଣତରେ ଗୋଟେ ଗୋଟିଏ ବେଲପତ୍ର ଛିଡାଇ ତଳକୁ ପକାଇବା ସହ ବିକଳ ହୋଇ କାନ୍ଦିଥିଲେ। ତାଙ୍କ ଲୁହ ଓ ବେଲପତ୍ର ଉଭୟ ଶିବଲିଙ୍ଗ ଉପରେ ପଡିଥିଲା। ସେଥିରୁ ଯାହା ପୁଣ୍ୟ ପ୍ରାପ୍ତି ହେଲା ତା’ ବଳରେ ମୃତ୍ୟୁ ପରେ ଶିବଲୋକ ପ୍ରାପ୍ତ ହେଲେ ଏବଂ ପରେ ଚିତ୍ରଭାନୁ ରୂପେ ରାଜଗାଦି ଭୋଗ କଲେ। ତେଣୁ ଏସବୁ ବିଶ୍ବାସକୁ ଆଧାର କରି ରାତି ସାରା ଉଜାଗର ରହି ମହାଦେବଙ୍କ କୃପାଲାଭ କରିବାକୁ ରାତିସାରା ଜାଗର ଦୀପ ଜାଳନ୍ତି ।