କନକ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରେ ଆୟୋଜିତ ‘ଦ ସଟଲ୍ ସ୍ମାଶର୍ସ–୨୦୨୫’ ଓପନ୍-ଡୋର୍ ବ୍ୟାଡମିଣ୍ଟନ୍ ଚାମ୍ପିୟନସିପ୍ ଉତ୍ସାହ ଓ କ୍ରୀଡାସ୍ପୃହାର ସହ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ଦମଦାର ପ୍ରଦର୍ଶନ କରିଥିଲେ ।

Advertisment

ଚାମ୍ପିୟନସିପ୍‌ ଟି ୪ଟି ବର୍ଗରେ ଆୟୋଜିତ ହୋଇଥିଲା । ୟୁଜି ମିକ୍ସଡ୍ ଡବଲ୍ସ, ୟୁଜି ମେନ୍ସ ଡବଲ୍ସ, ବି-ସ୍କୁଲ୍ ମେନ୍ସ ଡବଲ୍ସ ଏବଂ ବି-ସ୍କୁଲ୍ ମହିଳା ଡବଲ୍ସ । ପ୍ରତ୍ୟେକ ବର୍ଗର ବିଜେତା ଓ ରନର୍ସ ଅପଙ୍କୁ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ୟୁଜି ମିକ୍ସଡ୍ ଡବଲ୍ସ ବର୍ଗରେ ୟୁଏନ୍ ଅଟୋନୋମସ୍ କଲେଜର ମୃତ୍ୟୁଞ୍ଜୟ ଦାସ ଓ ବିପାସା ପ୍ରିୟଦର୍ଶିନୀ ଚାମ୍ପିୟନ୍ ହେବା ସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହି ବର୍ଗରେ ଖ୍ରୀଷ୍ଟ କଲେଜର ସାୱନ ପଟ୍ଟନାୟକ ଓ ଶିୱାଲି ସତଭିସା ନାୟକ ରନର୍ସ ଅପ ହୋଇଥିଲେ ।

ୟୁଜି ମେନ୍ସ ଡବଲ୍ସ ଫାଇନାଲ୍‌ରେ ରାଜା ମାଧୁସୁଦନ ଦେବ କଲେଜର ଅବ୍ଦୁଲ୍ ସଲିମ୍ ଖାନ୍ ଓ ଦେବାଶିଷ ପଣ୍ଡା, ଇପ୍ସାର୍ କଲେଜର ସୁଭମ ବିଶ୍ୱାଳ ଓ ଅର୍ପଣ ବିଲୁଙ୍ଗଙ୍କୁ ପରାଜିତ କରି ଚାମ୍ପିୟନ୍ ହୋଇଥିଲେ । ସେହିଭଳି ବି-ସ୍କୁଲ୍ ମେନ୍ସ ଡବଲ୍ସ ବର୍ଗରେ ବି.ଆଇ.ଆଇ.ଟି.ଏମ୍‌.ର ଅମିତ ମହାନ୍ତି ଓ ଅବିନାଶ ପାଙ୍ଗୀ ବିଜୟ ହାସଲ କରିଥିବା ବେଳେ, ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ଇରଫାନ୍ ଅହମଦ୍ ଖାନ୍ ଓ ସତ୍ୟ ପ୍ରକାଶ ଦାସ ରନର୍ସ ଅପ ହୋଇଥିଲେ ।

ବି-ସ୍କୁଲ୍ ମହିଳା ଡବଲ୍ସ ବର୍ଗରେ ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ସୁଭଶ୍ରୀ ସୁଭସ୍ମିତା ସାହୁ ଓ ପ୍ରତୀକ୍ଷା ଆଚାର୍ଯ୍ୟ ଚାମ୍ପିୟନ୍ ହେବା ସହ ସଂସ୍ଥାକୁ ଗୌରବାନ୍ୱିତ କରିଥିଲେ । ଏହି ବର୍ଗରେ ବିଜିୟୁ (BGU)ର ଅର୍ପିତା ଚୌଧୁରୀ ଓ ଆଦିଶ୍ରୀ ଜେନା ରନର୍ସ ଅପ ହୋଇଥିଲେ । ଏହି ଚାମ୍ପିୟନସିପ୍ ମାଧ୍ୟମରେ ଯୁବ ଖେଳାଳିମାନଙ୍କର କ୍ରୀଡା ପ୍ରତିଭା, ଶିଷ୍ଟାଚାର ଓ ଖେଳୁଆଡ଼ ମନୋଭାବ ଦେଖିବାକୁ ମିଳିଥିବା ବେଳେ, ଆୟୋଜକ ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।