କନକବ୍ୟୁରୋ : ଜୁଆର ମାଡ଼ରେ ଭାଙ୍ଗିଲା ୪ ଟି ଦୋକାନ ଗୃହ ସହିତ ଶୌଚାଳୟ । ଭୟରେ ତଳସାରୀର ମତ୍ସ୍ୟଜୀବୀ, ବ୍ୟବସାୟୀ ଓ ପର୍ଯ୍ୟଟକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିର ଥିବା ମତ୍ସ୍ୟବତରଣ କେନ୍ଦ୍ରଟି ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ଧସ୍ତବିଧ୍ୱସ୍ତ ହୋଇ ପଡିଛି l ଏଥିରେ ୪ଟି ଦୋକାନ ଗୃହ ଓ ଶୌଚାଳୟ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଛି l
ଫଳରେ ଏଠାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ, ମତ୍ସ୍ୟଜୀବୀ, ଗ୍ରାମବାସୀ ଓ ହୋଟେଲ ମାଲିକ ମାନେ ଆତଙ୍କିତ ହୋଇ ପଢ଼ିଛନ୍ତି l ତାଳସାରୀ ଠାରେ ମତ୍ସ୍ୟଜୀବୀ ଓ ଗ୍ରାମବାସୀ ମାନଙ୍କର ଅର୍ଥନୈତିକ ବିକାଶ ପାଇଁ ୨୦୦୩ ମସିହା ଏପ୍ରିଲ ୧୬ ତାରିଖରେ ୧ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇ ତତ୍କାଳୀନ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ରାଷ୍ଟ୍ର ମନ୍ତ୍ରୀ ତଥା ବର୍ତ୍ତମାନର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ମତ୍ସ୍ୟ ଅବତରଣ କେନ୍ଦ୍ରଟି ଉଦଘାଟିତ ହୋଇଥିଲା ।
ପ୍ରତ୍ୟେକ ଦିନ ଶହ ଶହ ମତ୍ସ୍ୟଜୀବୀ ସେମାନଙ୍କର ମାଛ ଡ଼ଙ୍ଗାରୁ ଅବତରଣ କରି ଏଠାରେ ବ୍ୟବସାୟ କରିଥାନ୍ତି । ଏହା ସହ ବେଳାଭୂମିକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଆସି ପ୍ରକୃତିର ମନୋରମ ଦୃଶ୍ୟ ଦେଖି ମଜା ଉଠାଇଥାନ୍ତି l ମାତ୍ର ଗତ ଅମ୍ଫlନ ଜୁଆର ମାଡ଼ରେ ଜେଟି ଧସ୍ତବିଧ୍ୱସ୍ତ ହେବା ସହି ଏହା ଉପରେ ୧୦ ଫୁଟ ଉଚ୍ଚର ଜୁଆର ପାଣି ପ୍ରଭାବିତ ହେବା ଯୋଗୁ ବେଳାଭୂମିରେ ଥିବା ଶତାଧିକ ଦୋକାନ ସମୁଦ୍ର ପାଣିରେ ଭାସି ଯାଇଥିଲା l
ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ନବୀକରଣ ପାଇଁ ୨କୋଟି ଟଙ୍କା ମଂଜୁର କରିଥିଲେ ମଧ୍ୟ ଏଯାବତ ପୂର୍ଣ୍ଣାଙ୍ଗୀକରଣ ହୋଇନଥିବା ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଅଭିଯୋଗ କରିଛନ୍ତି l ସେହିଭଳି ଜେଟି ସଂଲଗ୍ନ ଏକମାତ୍ର ଶୌଚାଳୟଟି ଚାରି ବର୍ଷ ତଳେ ୩ ଲକ୍ଷ ଟଙ୍କା ବ୍ୟୟରେ ତାଳସାରୀ ଗଙ୍ଗାମାତା ଫିସାରମେନ କୋପରେଟିଭ ସୋସାଇଟି ତରଫରୁ ନିର୍ମାଣ କରାଯାଇଥିଲା l ଫଳରେ ଉକ୍ତ ଶୌଚାଳୟ ଉପରେ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ମତ୍ସ୍ୟଜୀବୀ ମାନେ ଶୌଚକାର୍ଯ୍ୟ କରୁଥିଲେ ମାତ୍ର ଉଚ୍ଚ ଜୁଆର ମାଡ଼ରେ ଉକ୍ତ ଶୌଚାଳୟଟି ଭାଙ୍ଗିରୁଜି ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଛି l
--