କନକ ବ୍ୟୁରୋ : ଗତ ଜୁଲାଇ ୭ରେ ମୟୂରଭଞ୍ଜ ଜିଲ୍ଲା ଗୋହିରା ସ୍ଥିତ ସଂସ୍କୃତ ବିଦ୍ୟାଳୟର ୨ ଜଣ ଛାତ୍ରୀ ବିଦ୍ୟାଳୟରୁ ପଳାଇଆସିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସ୍ଥାନୀୟ ଲୋକ ୨ ଛାତ୍ରୀଙ୍କୁ ଉଦ୍ଧାର କରି ଘରକୁ ପଠାଇଥିଲେ । ତେବେ ଛାତ୍ରୀଙ୍କ ଏମିତି ଚାଲିଆସିବା ଘଟଣାରେ ଅନୁସନ୍ଧାନ କରିବାରୁ ସାମନାକୁ ଆସିଛି ଭୟଙ୍କର ସତ । ବିଦ୍ୟାଳୟର ସେକ୍ରେଟାରୀ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ଆସିଛି ଅଭିଯୋଗ । ଫଳରେ ଦେଢ଼ମାସ ହେଲାଣି ବିଦ୍ୟାଳୟରେ ତାଲା ଝୁଲୁଛି ।

Advertisment

ଛାତ୍ରୀଙ୍କ କହିବା ମୁତାବକ ଗୋବିନ୍ଦ ନିଜ ଘରେ ହଷ୍ଟେଲ କରିଥିଲେ । ଯେଉଁଠାରେ ୫୫ ଛାତ୍ରୀ ରହୁଥିଲେ । ଗୋବିନ୍ଦ ବିଭିନ୍ନ ସମୟରେ ଛାତ୍ରୀମାନଙ୍କ ସହ ଖରାପ ବ୍ୟବହାର କରୁଥିଲେ । ଏପରିକି ସେକ୍ରେଟାରୀ ଛାତ୍ରୀଙ୍କୁ ସାର୍ଟିଫିକେଟ ନେବାକୁ ମଧ୍ୟ ଦେଉନଥିବା ଅଭିଯୋଗ ଆସିଛି । ଅନ୍ୟପଟେ ଏବିଇଓ ଜାଣିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାକୁ ଚାପି ଦିଆଯାଇଥିବା ବେଳେ ସେକ୍ରେଟାରୀଙ୍କ ଯୌନ ବ୍ୟଭିଚାର ପାଇଁ ସମସ୍ତ ଅଭିଭାବକ ଛାତ୍ରଛାତ୍ରୀମାନଙ୍କୁ ଘରକୁ ନେଇଯାଇଛନ୍ତି। ଫଳରେ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। କେବେ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ତାକୁ ଅପେକ୍ଷା।