କନକ ବ୍ୟୁରୋ :  ଆଜିଠୁ ପୁନଶ୍ଚ ପୃଥିବୀର ଦ୍ବିତୀୟ ସଂସ୍କରଣ । ଭିତରକନିକାରେ ଏକାଠି ହେବେ ବିଶେଷଜ୍ଞ । ପରିବେଶ ସଚେତନତା ନେଇ ଦେବେ ବାର୍ତ୍ତା । ସାମିଲ ହେବେ ପରିବେଶ ପ୍ରେମୀ, ରାଜନେତା, ଜନତା । ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ସୃଷ୍ଟି ଲାଗି ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ ‘ପୁନଶ୍ଚ ପୃଥିବୀ’ ଅଭିଯାନର ଏହା ଦ୍ୱିତୀୟ ସଂସ୍କରଣ । ଏଥିରେ ମୁଖ୍ୟଅତିଥି ରାଜନଗର ବିଧାୟକ ଧ୍ରୁବଚରଣ ସାହୁଙ୍କ ସମେତ ବହୁ ପରିବେଶ ବି‌ଶେଷଜ୍ଞ ଏକାଠି ହୋଇ ଉପକୂଳ ସୁରକ୍ଷା ପ୍ରସଙ୍ଗରେ ସୁଚିନ୍ତିତ ମତାମତ ରଖିବେ। ଇଷ୍ଟର୍ଣ୍ଣ ମିଡିଆ ଲି‌ମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ଓ ‘କନକ୍ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ, ଅବସରପ୍ରାପ୍ତ ପିସିସିଏଫ୍ ବିଜୟକେତନ ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

Advertisment

ପରିବେଶ, ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କିତ ୩ଟି ଅଧିବେଶନ ଅନୁଷ୍ଠିତ ହେବ। ଏହି ଅବସରରେ ପରିବେଶ, ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ କାର୍ୟ୍ୟ କରୁଥିବା ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ‘ସମ୍ବାଦ ପରିବେଶ ସମ୍ମାନ’ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ୨୦୨୪ରେ ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଆରମ୍ଭ ହୋଇଥିବା ‘ପୃନଶ୍ଚ ପୃଥିବୀ’ ଅଭିଯାନ ବେଶ୍ ଲୋକପ୍ରିୟ ହୋଇପାରିଛି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ମୁକାବିଲା, ବୃକ୍ଷରୋପଣ ସମ୍ପର୍କିତ ସଚେତନତାଧର୍ମୀ କାର୍ୟ୍ୟକ୍ରମରେ ସାଧାରଣ ଲୋକଙ୍କୁ ସାମିଲ କରାଯାଇଛି । ରାଜ୍ୟର ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘କ୍ଲାଇମେଟ୍ ପଞ୍ଚାୟତ’ ଆୟୋଜନ ସହ ନିର୍ବାଚନମଣ୍ଡଳୀରେ ଜଳବାୟୁ ପରିବର୍ତ୍ତନ ଦ୍ବାରା ସୃଷ୍ଟି ହୋଇଥିବା ଆହ୍ବାନଗୁଡ଼ିକୁ ଲୋକଲୋଚନକୁ ଅଣାଯାଇପାରିଛି ।