କନକ ବ୍ୟୁରୋ : ବିଷାକ୍ତ ହେଉଛି ବିନ୍ଦୁ ସାଗର , ନା ହେଉଛି ପଙ୍କ ଉଦ୍ଧାର ନା ହେଉଛି ଦଳ ସଫା । ଅନେକ ବଡ଼ବଡ଼ିଆ ଏଇ ରାସ୍ତା ଦେଇ ଯାଆନ୍ତି କିନ୍ତୁ କାହା ଆଖିକୁ ଦିଶେନି ବିନ୍ଦୁ ସାଗରର ଦୁର୍ଦ୍ଦଶା । ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡ଼ିତ ଏହି ପୁଷ୍କରିଣୀ ଆଜି ଅଳିଆ ଆବର୍ଜନାରେ ଭର୍ତ୍ତି ।  ପୁରୁଣା ଭୁବନେଶ୍ୱରର  ପ୍ରାଣ ବିନ୍ଦୁ ସାଗର । ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସହ ଏହା ଜଡ଼ିତ । ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଏହା ଉପରେ ନିର୍ଭରଶୀଳ । ଦିନେ କାଚକେନ୍ଦୁ ପାଣି ଥିବା ଏହି ପୁଷ୍କରିଣୀ ଆଜି ଆବର୍ଜନାରେ ଭର୍ତ୍ତି । ଭଙ୍ଗା କାଚ, ବ୍ଲେଡ୍‌, ପିଣ୍ଡଦାନ ଓ ଶୁଦ୍ଧିକ୍ରିୟା ସମୟର ବର୍ଜ୍ୟବସ୍ତୁ ଏଥିରେ ଫୋପଡ଼ା ହେଉଛି । ଯେଉଁ ପୋଖରୀରେ ଗାଧୋଇଲେ ଦିନେ ଚର୍ମ ରୋଗ ଭଲ ହେଉଥିଲା, ଏବେ ଧୋଇ ହେବାକୁ ଡର ଲାଗୁଛି । ବିନ୍ଦୁସାଗର ଜଳକୁ ଚଳମାନ କରିବାକୁ ୱାଟକୋ ପକ୍ଷରୁ ଦୟା ନଦୀ ପାଣି ଭର୍ତ୍ତି କରାଯାଇଥିଲା । ପୋଖରୀ ପାଇଁ ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା । କିନ୍ତୁ ପରିଷ୍କାର ହୋଇପାରୁନି ପୋଖରୀ । 

Advertisment

୨୦୧୯ରେ ଏକାମ୍ର ବିକାଶ ଯୋଜନା ହାତକୁ ନିଆଯାଇ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟୀକରଣ ଓ ବିନ୍ଦୁସାଗର ଜଳକୁ ସ୍ବଚ୍ଛ କରିବାକୁ ପଦକ୍ଷେପ ନେଇଥିଲେ । ୨୦୨୧ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିନ୍ଦୁସାଗର ସ୍ବଚ୍ଛତା ନେଇ ପଦକ୍ଷେପ ନେଇଥିଲେ । ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ବିନ୍ଦୁସାଗର ପାଣିକୁ ସ୍ୱଚ୍ଛ ଓ ନିର୍ମଳ କରାଯିବା ନେଇ ପ୍ରତିଶ୍ରୁତି ମିଳିଲା । କାମ ହେଲା କି ନାହିଁ ସେକଥା କେହି ବୁଝିଲେନି । ନିଜର ମାନ୍ୟତା ଓ ଗୌରବ ନଷ୍ଟ କରୁଥିବା ବିନ୍ଦୁସାଗର ଉପରେ କେବେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡ଼ୁଛି ତାହା ଦେଖିବାକୁ ବାକି ରହିଲା ।