କନକ ବ୍ୟୁରୋ : ଦିନକୁ ଦିନ ତାତି ବଢୁଛି । ଅସହ୍ୟ ଗୁଳିଗୁଳିରେ ଜନ ଜୀବନ ସନ୍ତୁଳି ହେଉଛି । ଏହାରି ଭିତରେ ଲୋକଙ୍କ ଉପରେ ଦାଉ ସାଧୂଛି ବେଆଇନ ଇଟାଭାଟି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଓ ଗଂଜାମ ଖଲ୍ଲିକୋଟ ଅଞ୍ଚଳରେ ହୁ ହୁ ହୋଇ ଜଳୁଛି ଇଟାଭାଟି । ପ୍ରଶାସନର ନାକ ତଳେ ଏସବୁ ଚାଲୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ସବୁ ଜାଣି ପ୍ରଶାସନ କାହିଁକି ଚୂପ ବୋଲି ପ୍ରଶ୍ନ ଉଠିଛି ।
ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଶହଶହ ଇଟାଭାଟି ପାଇଁ ପରିବେଶ ଦୂଷିତ ହେଉଛି । ନଦୀ ପଠାରୁ ମାଟି ଉଠାଣ ଯୋଗୁଁ ବନ୍ଧ ଦୁର୍ବଳ ହେବା ସହ ଚାଷ ଜମି ବି ନଷ୍ଟ ହେବାରେ ଲାଗିଛି । କେନ୍ଦ୍ରାପଡ଼ାଡା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର, ଉଦୟପୁର, ଡାମରପୁର, ବାଲିପାଟଣା, ମାଟିଆ, ତାତନା, ବଙ୍ଗାଳିଦିଆ, ବାଲିପାଟଣ ଭଳି ଗ୍ରାମାଞ୍ଚଳରେ ଶହଶହ ବେଆଇନ ଇଟାଭାଟି ଗଢ଼ି ଉଠିଛି । ସ୍କୁଲ ନିକଟରେ ଭାଟି ଗୁଡ଼ିକ ଥିବାରୁ ଉଦୁଉଦିଆ ଖରାରେ ପିଲାଙ୍କ ଠାରୁ ବୟସ୍କ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ସମସ୍ତ ବେଆଇନ ଘଟଣା ପ୍ରଶାସନର ନାକତଳେ ଘଟୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । କେବଳ ନୋଟିସ୍ କରି ଦାୟିତ୍ୱ ସାରି ଦେଇଛନ୍ତି ରାଜସ୍ୱ ନୀରିକ୍ଷକ ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ୨୯ଟି ପଞ୍ଚାୟତର ଯେଉଁ ଆଡ଼େ ଦେଖିବେ ମାଳମାଳ ଇଟାଭାଟି । କୋଇଲା ଧୂଆଁରେ ହଜାର ହଜାର ଏକର କାଜୁ ଫସଲ ଉଜୁଡ଼ି ଯିବାକୁ ବସିଛି । କାଜୁ ଫୁଲ ବା ବଉଳ ମଉଳି ଯାଉଛି । ଦୀର୍ଘ ବର୍ଷ ହେଲା ଇଟାଭାଟି ଯୋଗୁଁ କ୍ଷତି ସହୁଛନ୍ତି ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତ ଗୁରୁଣ୍ଠି ଗାଁ ପବିତ୍ର ସାହୁଙ୍କ ଭଳି କାଜୁ ଚାଷୀ । କେବଳ ଗୁରୁଣ୍ଠି ଗାଁରେ ୬୦୦ ଏକର କାଜୁ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଜିଲ୍ଲାପାଳ, ଖଣି ବିଭାଗ ଓ ରାଜସ୍ୱ ବିଭାଗ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।
ସେପଟେ ରାଜସ୍ୱ ବିଭାଗ ଓ ଖଣି ବିଭାଗ ଅଧିକାରୀ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ସରକାରୀ ଅଧିକାରୀଙ୍କ ଟଣାଓଟରା ଭିତରେ ପେଶି ଦେଉଛନ୍ତି ଚାଷୀ ଓ ସ୍ଥାନୀୟ ବାସିନ୍ଦା ।