କନକ ବ୍ୟୁରୋ: ରାଜ୍ୟରେ ୨୦ରୁ କମ ପିଲା ଥିବା ସ୍କୁଲ ବନ୍ଦ ନିଷ୍ପତ୍ତିକୁ ହାଇକୋର୍ଟ କାଏମ ରଖିବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଯାଇଛି । ଅଭିଭାବକ ସଂଘ ବି ହାଇକୋର୍ଟ ରାୟର ପୁନଃବିଚାର ପାଇଁ ନୂଆ ସରକାର ଆବେଦନ କରନ୍ତୁ ବୋଲି ଦାବି କରିଛି । ତେବେ ପ୍ରଶ୍ନ ଉଠୁଛି, ନୂଆ ସରକାର ଏ ବାବଦରେ କି ନିଷ୍ପତ୍ତି ନେବେ?
ପୁରୀ ଅସ୍ତରଙ୍ଗ ବ୍ଲକ ବରଡିହ ପ୍ରାଥମିକ ସ୍କୁଲରେ ପାଞ୍ଚଟି ଶ୍ରେଣୀ ପାଇଁ ଅଛନ୍ତି ୫ଜଣ ପିଲା । ଆଉ ଜଣେ ମାତ୍ର ଶିକ୍ଷୟିତ୍ରୀ ଜୟନ୍ତୀ ଓଝା ପାଠ ପଢାଉଛନ୍ତି । ତାଙ୍କ କହିବା କଥା ହେଲା, ପ୍ରଥମରୁ ଚତୁର୍ଥ ଶ୍ରେଣୀ ମଧ୍ୟରେ ଚାରିଜଣ ଅଛନ୍ତି । ପଞ୍ଚମରେ କେହି ଜଣେ ବି ଛାତ୍ର ନାହାନ୍ତି । ଏବେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିବାକୁ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ରାୟ ଦେବା ପରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ବରଡିହ ସ୍କୁଲ କଣ ବନ୍ଦ ହୋଇଯିବ?
- ହାଇକୋର୍ଟ ରାୟ ପରେ ବଢିଲା ଚିନ୍ତା
- ପ୍ରତିଶ୍ରୃତି ପାଳନ କରିବେ କି ବିଜେପି ସରକାର ?
- ହାଇକୋର୍ଟରେ ପୁନଃବିଚାର ପାଇଁ ହେବ କି ଆବେଦନ?
ଯଦି ନା ତେବେ ୨୦ରୁ କମ ପିଲା ଥିବା ପ୍ରାୟ ୬ ହଜାରରୁ ଅଧିକ ସ୍କୁଲ କଣ ବନ୍ଦ ହୋଇଯିବ?
- ସ୍କୁଲ ବନ୍ଦ ପାଇଁ ୨୦୧୮ ରେ ଗାଇଡ଼ ଲାଇନ ଆଣିଥିଲେ ତତକାଳୀନ ସରକାର
- ୨୦୨୦ ମାର୍ଚ୍ଚରେ ଜାରି ହୋଇଥିଲା ବିଜ୍ଞପ୍ତି
- ଅଭିଭାବକ ଓ ଛାତ୍ରଛାତ୍ରୀ ବିରୋଧ କରିଥିଲେ
- ବିଜ୍ଞପ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା
- ପୂର୍ବରୁ ସରକାରୀ ନିଷ୍ପତ୍ତିକୁ ରଦ୍ଦ କରିଥିଲେ ଜଣିକିଆ ଖଣ୍ଡପୀଠ
ଏବେ ହାଇକୋର୍ଟ ନିଜର ପୁରୁଣା ରାୟକୁ ଓଲଟାଇବା ପରେ ସାମ୍ନାକୁ ଆସିଛି ଅଭିଭାବକ ସଂଘ। ସଂଘ କହିଛି, ଏହା ପୂର୍ବ ସରକାରର ନିଷ୍ପତ୍ତି ଥିଲା । କିନ୍ତୁ ନୂଆ ସରକାର କୌଣସି ସ୍କୁଲ ବନ୍ଦ ହେବନି ବୋଲି ପ୍ରତିଶ୍ରୁତି ଦେଇଥିବାରୁ ହାଇକୋର୍ଟ ନିଷ୍ପତ୍ତିର ପୁନଃବିଚାର ପାଇଁ ଅପିଲ କରନ୍ତୁ ।
ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ ସଂଖ୍ୟାରେ ସୁଧାର ଆଣିବାକୁ ତତକାଳୀନ ସରକାର ଏହି ନିଷ୍ପତ୍ତି ନେଇଥିଲେ । କୌଣସି ସ୍କୁଲରେ ୨୦ରୁ କମ ଛାତ୍ରଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ । ଏବେ ହାଇକୋର୍ଟଙ୍କ ରାୟ ପରେ ସ୍କୁଲ ବନ୍ଦ ନେଇ ନୂଆ ସରକାରଙ୍କ ଆଭିମୁଖ୍ୟ କଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି ।