କନକ ବ୍ୟୁରୋ: ‘ସମ୍ବାଦ’ ଆୟୋଜିତ ୧୫ ଦିନିଆ ଅଭିନବ ସାହିତ୍ୟ ମହୋତ୍ସବ ‘ସମ୍ବାଦ ସାହିତ୍ୟପକ୍ଷ’ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ବରସ୍ଥିତ ‘ଆମ ଓଡ଼ିଶା’ ପରିସରରେ ଆୟୋଜିତ ଏହି ସମାରୋହରେ ସାରା ଓଡ଼ିଶାରୁ ଆସିଥିବା ବିଭିନ୍ନ ପିଢ଼ି ଓ ବିଭାଗର ଲେଖକ ଲେଖିକାମାନଙ୍କର ଏକ ଭବ୍ୟ ମିଳନ ହୋଇଥିଲା । ପ୍ରଥମ ଦିନ ଅନୁଷ୍ଠିତ ହୋଇଥିବା ‘କବି ଓ କବିତା’ କାର୍ଯ୍ୟକ୍ରମର ମଞ୍ଚକୁ ମାଟିର ମହାକବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଉତ୍ସର୍ଗ କରାଯାଇଥିଲା । ଅଭିନବ ଶୈଳୀରେ ଗଛରେ ଜଳଦାନ କରି ଆଲୋଚନାକୁ ଉଦ୍‌ଘାଟନ କରି ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ, ‘ସମ୍ବାଦ’ ସବୁବେଳେ ଭାଷା, ସାହିତ୍ୟ ଓ ସଂସ୍କୃତି ସହିତ ବିଭିନ୍ନ ଭାବରେ ସଂପୃକ୍ତ ରହି ଆସିଛି । ‘ସମ୍ବାଦ ସାହିତ୍ୟ ପକ୍ଷ’କୁ ଆଶୀର୍ବାଦ ପ୍ରଦାନ କରି ସେ ଏହାକୁ ସୁନ୍ଦର ଓ ନୂଆ ଧରଣର ଚିନ୍ତାଧାରା ବୋଲି ପ୍ରଶଂସା କରିଥିଲେ । 

Advertisment
କରହପୁପବତଦ
Photograph: (kanakNews)

‘ଆମ ଓଡ଼ିଶା’ କାର୍ଯ୍ୟାଳୟର ସବୁଜ ଘାସଗାଲିଚା ଉପରେ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ  ସ୍ବାଗତ କରି ‘ସମ୍ବାଦ’ ଓ କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଲେ, ‘ସମ୍ବାଦ’ ପାଇଁ ସାହିତ୍ୟ ନୂଆକଥା ନୁହେଁ... ଆରମ୍ଭରୁ ‘ସମ୍ବାଦ’ ସାହିତ୍ୟ ସହିତ ରହି ଆସିଛି ଓ ସବୁବେଳେ ମା’, ମାଟି ଓ ମାତୃଭାଷାର କଥା କହିଛି । ସେ ଆହୁରି କହିଲେ, ଭାଷାର ସୁରକ୍ଷା କେବଳ ଆମର ଦାୟିତ୍ବ ନୁହେଁ, ଗଣମାଧ୍ୟମ ସଂସ୍ଥାର ସ୍ବାର୍ଥ ମଧ୍ୟ । ଭାଷା ବଞ୍ଚିଲେ, ଖବର କାଗଜ, ଟିଭି ଚ୍ୟାନେଲ୍‌, ରେଡ଼ିଓ ବଞ୍ଚିବ । ଭାଷା ବଞ୍ଚିଲେ ଓଡ଼ିଆ ଅସ୍ମିତା ବଞ୍ଚିବ । ଏବେ ଚର୍ଚ୍ଚାରେ ରହିଥିବା ଅସ୍ମିତାର କଥା ‘ସମ୍ବାଦ’ ଅନେକ ଆଗରୁ କହି ଆସିଛି । ‘ଆମ ଓଡ଼ିଶା’ ଆୟୋଜିତ ଭାଷାଜ୍ଞାନ ପରୀକ୍ଷା, ମାସିକ ପତ୍ରିକା ‘କଥା’ ଓ ‘ପୌରୁଷ’, ସାପ୍ତାହିକ ସାହିତ୍ୟ ପୃଷ୍ଠା, ରାଜ୍ୟର କୋଣ ଅନୁକୋଣରେ ଥିବା ‘ସମ୍ବାଦ ସାହିତ୍ୟ ଘର’ ଆଦି ଜରିଆରେ ‘ସମ୍ବାଦ’ ଓଡ଼ିଆ ଭାଷା ଓ ଓଡ଼ିଶାର ସ୍ବାର୍ଥକୁ ସବୁବେଳେ ଗୁରୁତ୍ବ ଦେଇଛି ବୋଲି ସେ କହିଥିଲେ । ସାହିତ୍ୟର ପ୍ରତିଟି ପାଖୁଡ଼ାକୁ ମଞ୍ଚ ଦେବାକୁ ‘ସମ୍ବାଦ ସାହିତ୍ୟ ପକ୍ଷ’ ୧୫ ଦିନ ଧରି ପାଳନ କରାଯାଉଛି ଏବଂ ଏଥିରେ ୧୫୦ରୁ ଅଧିକ ସାହିତିକ ମଞ୍ଚକୁ ଆଣିବାର ପ୍ରୟାସ କରାଯାଇଛି । ସାହିତ୍ୟ ସହ ଯୁବପିଢ଼ିକୁ ଯୋଡ଼ିବା ‘ସମ୍ବାଦ ସାହିତ୍ୟ ପକ୍ଷ’ର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ।

ୈୌାୈୋେ
Photograph: (kanakNews)

ମହାକବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଉତ୍ସର୍ଗ କରାଯାଇଥିବା ‘କବି ଓ କବିତା’ ମଞ୍ଚରେ ପ୍ରଥମେ ବିଶିଷ୍ଟ କବି ଆଶୁତୋଷ ପରିଡ଼ାଙ୍କ ସହିତ ଚିରଶ୍ରୀ ଇନ୍ଦ୍ରସିଂ କବିତାକୁ ନେଇ  ‘ଆଳାପ’ କରିଥିଲେ । ଶ୍ରୀମତୀ ଇନ୍ଦ୍ରସିଂଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କବି ଶ୍ରୀ ପରିଡ଼ା କହିଥିଲେ, ଜଗତକୁ ସଂଗଠିତ କରିବା ପାଇଁ ବିପ୍ଳବୀ କବିତା ଲେଖା ଯାଉଥିଲା । ‌ସେ ଧାରା ଏବେ ମଧ୍ୟ ଅଛି,ସମୟ ଅନୁସାରେ ଲେଖିବାର ଶୈଳୀ ପରିବର୍ତ୍ତନ ହୋଇଛି । ନୂଆପିଢ଼ିର କବି କବୟତ୍ରୀମାନେ ଅଧିକ ବିପ୍ଳବୀ ନହେଲେ ବି ଅଧିକ ବାସ୍ତବବାଦୀ ତେଣୁ ଏ କବିତା ସମକାଳରୁ ସର୍ବକାଳକୁ ଗତି କରିପାରେ । 

ୋେିନମ୍ାନି
Photograph: (kanakNews)

‘ଆଲୋଚନା’ ଅଧିବେଶନର କବି ଈପ୍ସିତା ଷଡ଼ଙ୍ଗୀଙ୍କ ସଞ୍ଚାଳନରେ ଅନୁଷ୍ଠିତ ଆଲୋଚନାର ବିଷୟବସ୍ତୁ ଥିଲା ‘ସମକାଳର କବିତା: ପ୍ରତିକ୍ରିୟା ନା ପ୍ରତିଫଳନ’ । ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ କବି ଅମରେଶ ପଟ୍ଟନାୟକ କହିଲେ, କବିର ଚରିତ୍ର ଇଗଲ୍‌ ପରି, ଯିଏ ଝଡ଼ର ଉପରେ ଉଡ଼ିପାରେ । କବି ଆଉ କିଛି ଚାହେଁନା, କେବଳ ଚାହେଁ ସେ ଏ ପୃଥିବୀରେ ନଥିବାବେଳେ ତା’ କବିତା ଆଦର ପାଉ । ସେହିପରି ବିଶିଷ୍ଟ କବି ବିପିନ ନାୟକ କହିଲେ, ପ୍ରତିଟି ସୃଜନର ମୂଳରେ ଗୋଟିଏ ଦର୍ପଣ ଥାଏ କିନ୍ତୁ ସେଥିରେ ଅବିଳକ ପ୍ରତିଫଳନ ନଥାଏ,ସେଇଠୁ ପ୍ରକ୍ରିୟା ଆରମ୍ଭ ହୁଏ । କବି ବେଦନା ଅପେକ୍ଷା ସମ୍ବେଦନାରେ ବିଶ୍ବାସ ରଖେ । ସେଥିରେ ଅଂଶଗ୍ରହଣ କରି ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି କହିଲେ, ସତ୍ୟ ଓ ସାହସ ତାଙ୍କ କବିତାକୁ ଦମ୍ଭ ଦେଇଥାଏ । ଅନ୍ତରର ସତ୍ୟକୁ ପ୍ରକାଶ କରିଥାଏ କବିତା । କବିତା ପ୍ରଶ୍ନ ତିଆରି କରିପାରିଲେ, ତଥା ଅନ୍ୟକୁ ପ୍ରଶ୍ନ ପଚାରିବାକୁ ବାଧ୍ୟ କରିପାରିଲେ, ତାହା ସଫଳ ହୁଏ ।

ୋେମ୍ଂେିମନ
Photograph: (kanakNews)

ସେହିଭଳି ‘ଅଭିଯୁକ୍ତି’ ଅଧିବେଶନରେ ‘ଆଜିର କବି ପାଇଁ ଆହ୍ବାନ’ ପ୍ରସଙ୍ଗରେ ତିନିଜଣ ଶକ୍ତିଶାଳୀ ଯୁବକବି ନିଜ ଯୁକ୍ତି ଉପସ୍ଥାପନ କରିଥିଲେ । କବି ପବିତ୍ର ମୋହନ ଦାଶ କହିଲେ, କବି ଶାନ୍ତି ଚାହେଁ, ସତ୍ୟପଥରେ ଯିବାକୁ ଚାହେଁ । କବି ପ୍ରଜ୍ଞାଶ୍ରୀ ରଥ କହିଲେ, କବିତା ବିଗିଡ଼ି ଯାଉଥିବା ସମାଜକୁ ଅନୁପ୍ରାଣିତ କରିବା ସହ ନିରାଶା ଭିତରେ ଆଶାର ସଂଚାର କରୁ । କବି ଶ୍ରୀଦେବ କହିଲେ, କବିତା ଅନେକ କଥାକୁ ଗଢ଼ିପାରେ ବୋଲି ସେ ଦୃଢ଼ ବିଶ୍ବାସ କରନ୍ତି ।

ୋେ:ନମିଂନ
Photograph: (kanakNews)

ଏହି ଅବସରରେ କବିତାକୁ ନେଇ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗାୟିକା ସୁସ୍ମିତା ଦାସ କବିତାରୁ କିପରି କାଳଜୟୀ ଗୀତ ହୋଇଛି କହିବା ସହ କିଛି କବିତାଂଶକୁ ଗୀତଭାବେ ପରିବେଷଣ କରିଥିଲେ । ସେହିପରି ବିଶିଷ୍ଟ ଗାୟକ ଶରତ ନାୟକ ମଧ୍ୟ ‘ଶ୍ରୀରାଧା’ କବିତାର କିଛି ଅଂଶ ଗାଇଥିଲେ । ଏହି ଅବସରରେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ପର୍ଶୁରାମ ଦ୍ବିବେଦୀ ଓ କେଦାନର ନାଥ ଗବେଷଣା ପ୍ରତିଷ୍ଠାନକୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । 

ାୋେପ
Photograph: (kanakNews)

ସଂପାଦକ ଶ୍ରୀମତୀ ପଟ୍ଟନାୟକଙ୍କ ସହିତ କନକ ନ୍ୟୁଜ୍‌ର ସିଇଓ ରତିକାନ୍ତ ଶତପଥୀ ଓ ବିଶିଷ୍ଟ କଥାକାର ଗୌରହରି ଦାସ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ । ଶ୍ରୀ ଶତପଥୀ ମଧ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଆର୍‌ଜେ ଅନିଲ୍‌ ସାହିତ୍ୟକୁ ନେଇ ଆକର୍ଷଣୀୟ ପ୍ର‌ଶ୍ନ-ଉତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମିଲନ୍‌ ଘଟୁଆରୀ ସଂଯୋଜନା କରିଥିଲେ। ବହୁ ବରିଷ୍ଠ ଓ ଯୁବପିଢ଼ିର ଲେଖକ ଲେଖିକା, ସାହିତ୍ୟପ୍ରେମୀ, ପାଠକ ପାଠିକା ଓ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ଭରପୂର ଉପଭୋଗ କରିଥିଲେ । ସୂଚନାଯୋଗ୍ୟ ଯେ ‘ସମ୍ବାଦ ସାହିତ୍ୟ ପକ୍ଷ’ର ଦ୍ବିତୀୟ ଦିନର ବିଷୟ ରହିଛି ‘କଥା ଓ କଥାକାର’ । ଏଥିରେ ଗପକୁ ନେଇ ବିଭିନ୍ନ ଚର୍ଚ୍ଚା ଓ ପ୍ରଦର୍ଶନ ଅନୁଷ୍ଠିତ ହେବ ।