ଝାପସା ଆଲୁଅ । ଗୁରୁ ଗମ୍ଭୀର ସ୍ବର । ଛାତିଥରା ଶବ୍ଦ । ଆଳାପ, ଆଲୋଚନା, ପ୍ରଶ୍ନୋତ୍ତର ଏବଂ ଶେଷରେ ନାଟକ ଓ ଗଳ୍ପ। ସନ୍ଧ୍ୟାର ପ୍ରତିଟି ମୁହୂର୍ତ୍ତରେ ଭରି ରହିଥିଲା ରହସ୍ୟ ଆଉ ରୋମାଞ୍ଚ। ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଆୟୋଜିତ ‘ସମ୍ବାଦ ସାହିତ୍ୟ ପକ୍ଷ’ର ପ୍ରତିଟି ପାଖୁଡ଼ା ଆଜି ଯେମିତି ରହସ୍ୟମୟ ହୋଇ ଉଠିଥିଲା ।

Advertisment

‘ସମ୍ବାଦ ସାହିତ୍ୟ ପକ୍ଷ’ର ତୃତୀୟ ସନ୍ଧ୍ୟାରେ ‘ରହସ୍ୟ ସାହିତ୍ୟ’ କାର୍ଯ୍ୟକ୍ରମ ମଞ୍ଚକୁ ରହସ୍ୟ ଉପନ୍ୟାସର ମହାନ ସ୍ରଷ୍ଟା କଣ୍ଡୁରି ଚରଣ ଦାସଙ୍କୁ ଉତ୍ସର୍ଗ କରାଯାଇଥିଲା । ବିଶିଷ୍ଟ ଲେଖକ ଜୀବନକୃଷ୍ଣ ମହାପାତ୍ରଙ୍କ ଆଶୀର୍ବଚନରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ଶ୍ରୀ ମହାପାତ୍ର ଏହି ଅବସରରେ କହିଲେ, ଓଡ଼ିଆ ସାହିତ୍ୟକୁ ସମୃଦ୍ଧ, ଜୀବନ୍ତ, ଋଦ୍ଧିମନ୍ତ ଓ ସ୍ପନ୍ଦନମୟ କରିବାକୁ ଏହା ଏକ ବଳିଷ୍ଠ ପଦକ୍ଷେପ । ଓଡ଼ିଆ ସଂସ୍କୃତିରେ ମହାପ୍ରଭୁ ଜଗନ୍ନାଥ ରହସ୍ୟମୟ । କିନ୍ତୁ ରହସ୍ୟ ସାହିତ୍ୟକୁ ଏକ ନିକୃଷ୍ଟ ସାହିତ୍ୟ ବୋଲି ଗ୍ରହଣ କରାଯାଇଛି । ତଥାପି କେବଳ କିଛି ଲେଖକ ରହସ୍ୟ ସାହିତ୍ୟକୁ ବଞ୍ଚାଇ ରଖିଛନ୍ତି । ରହସ୍ୟ ସାହିତ୍ୟକୁ ଲୋକାଭିମୁଖୀ କରିବାକୁ ଯୁବପିଢ଼ି ଦାୟିତ୍ବ ନିଅନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।

bbb
Photograph: (KanakNews )

 

ଚର୍ଚ୍ଚାର ପ୍ରଥମ ଅଧ୍ୟାୟରେ ରହସ୍ୟ ସାହିତ୍ୟକୁ ନେଇ ରହସ୍ୟ ସାହିତ୍ୟ ଗବେଷିକା ପ୍ରତିଚୀ ନନ୍ଦ ଆଳାପ କରିଥିଲେ ବିଖ୍ୟାତ ରହସ୍ୟ ଲେଖକ ପ୍ରମୋଦ କିଶୋର ପଣ୍ଡାଙ୍କ ସହ। ଶ୍ରୀ ପଣ୍ଡା କହିଲେ, ଜୀବନ ରହସ୍ୟଘେରା । ବାସ୍ତବତାକୁ ରହସ୍ୟ ଦେଇ ଲେଖିଲେ ରହସ୍ୟ ସାହିତ୍ୟ ଜନପ୍ରିୟତା ଲାଭ କରିବ । ପରବର୍ତ୍ତୀ ଅଧିବେଶନର ଲେଖକ ରମାକାନ୍ତ ସାମନ୍ତରାୟଙ୍କ ସଂଚାଳ‌ନରେ ଅନୁଷ୍ଠିତ ଆଲୋଚନାରେ ରହସ୍ୟ ଲେଖକ ଚକ୍ରପାଣି ପରିଚ୍ଛା କହିଲେ, ପାଠକ ଗୋଷ୍ଠୀ ତିଆରି କରିପାରିଲେ ଓଟିଟି ଯୁଗରେ ମଧ୍ୟ ରହସ୍ୟ ସ‌ାହିତ୍ୟ ଆଦୃତ ହେବ । ରହସ୍ୟକାର ତରୁଣ ତପନ ମହାନ୍ତି ଓରଫ୍ 'ଚତୁରସେନ' କହିଲେ, ସମ୍ବାଦପତ୍ରରେ ରହସ୍ୟ ସାହିତ୍ୟକୁ ସ୍ବତନ୍ତ୍ର ସ୍ଥାନ ଦେବା ସହ ନୂଆପିଢ଼ିଙ୍କୁ ପ୍ରୋତ୍ସାହନ ମିଳିଲେ ରହସ୍ୟ ସାହିତ୍ୟ ଆଗକୁ ଯାଇପାରିବ । ଯୁବ ଲେଖକ ସ୍ବରୂପ କୁମାର ନାୟକ କହିଲେ, ରହସ୍ୟର ସଂଜ୍ଞା ଓ ସମାଧାନର ସୂତ୍ର ବଦଳିଛି । ସେହି ଅନୁସାରେ ଲେଖାକୁ ପାଠକଙ୍କ ପାଖରେ ପହଞ୍ଚାଇ ପାରିଲେ ରହସ୍ୟ ସାହିତ୍ୟ ଅଧିକ ସ୍ବୀକୃତି ପାଇବ । 

ଆଜି ମଞ୍ଚସ୍ଥ ହୋଇଥିବା କ୍ଷୁଦ୍ର ନାଟକ ‘ବୁଢ଼ା ଶଙ୍ଖାରୀ’ ଦର୍ଶକଙ୍କୁ ଗମ୍ଭୀର କରିଦେଇଥିଲା । ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ଚର୍ଚ୍ଚିତ କାହାଣୀକୁ ଆରଜେ ସଂଗ୍ରାମ ମିଶ୍ର ନାଟ୍ୟରୂପ ଦେଇଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଦେବାନନ୍ଦ ସୋନି । ଗୋବିନ୍ଦ ମହାପାତ୍ର, କାଜଲ ରାଣୀ ଓ ଶୁଭଲକ୍ଷ୍ମୀଙ୍କ ଅଭିନୟରେ ଦର୍ଶକଙ୍କ ଆଖି ଜକେଇ ଆସିଥିଲା । ନାଟକର ପ୍ରଚ୍ଛଦ ସଙ୍ଗୀତ ସୌମିତ୍ରୀ, ଶ୍ରୀକାନ୍ତ ଓ ସତ୍ୟ ପରିବେଷଣ କରିଥିଲେ । କିଛି ସମୟ ଅନ୍ତରରେ ୧ ମିନିଟ୍‌ର ‘ରହସ୍ୟ ଅଡିଓ’କୁ ମଧ୍ୟ ଦର୍ଶକ ଖୁବ୍‌ ଭଲ ପାଇବା ଦେଇଥିଲେ । ଶେଷରେ ଦର୍ଶକଙ୍କୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଥିଲା ରେଡିଓ ଚକୋଲେଟ୍‌ ପ୍ରସ୍ତୁତ ଅଡିଓ ଷ୍ଟୋରି ‘ନୀଳ ଶାଢ଼ି’। ଏହାର କାହାଣୀ ଯେତିକି ରୋମାଞ୍ଚ ଭରୁଥିଲା ତା’ଠୁ ଅଧିକ ଛାତିରେ ଛନକା ପଶୁଥିଲା ।

bvv
Photograph: (KanakNews )

 

ଏହି ଅବସରରେ ଓଡ଼ିଆ ସାହିତ୍ୟକୁ ବିଶେଷ ଅବଦାନ ପାଇଁ ‘ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ’ ଓ ସାନ୍ତାଳି ଭାଷା ପ୍ରତି ବିଶେଷ ଅବଦାନ ପାଇଁ  ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଅଧ୍ୟାପକ ଅନ୍‌ପା ମାର୍ଣ୍ଡିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। 

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ, ‘ଆମ ଓଡ଼ିଶା’ ପ୍ରକାଶନୀର ସମ୍ପାଦକ ଅସିତ ମହାନ୍ତି, ‘ଆମ ଓଡ଼ିଶା’ର ସମ୍ପାଦକ ଅରବିନ୍ଦ ଦାସ ପ୍ରମୁଖ ଲେଖକ ଓ କଳାକାରଙ୍କୁ ସମ୍ମାନିତ କରିଥିଲେ। ଶେଷରେ ‌‘ସମ୍ବାଦ’ର ଡେପୁଟି ଏଡିଟର ଧୃତିକାମ ମହାନ୍ତି ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତାକାଲି ‘ସମ୍ବାଦ ସାହିତ୍ୟପକ୍ଷ’ର ଚତୁର୍ଥ ଦିନର ବିଷୟ ରହିଛି ‘ଭାଷା, ସାହିତ୍ୟ ଓ ସାମାଜିକ ଗଣମାଧ୍ୟମ’।                           ଓଡ଼ିଆ ଖାଦ୍ୟର ମହକ
‘ସମ୍ବାଦ ସାହିତ୍ୟପକ୍ଷ’ର ଅଙ୍ଗେ ଅଙ୍ଗେ ଓଡ଼ିଆ ପଣ ଯେମିତି ଭରି ହୋଇ ରହିଛି। ଏହା ସହିତ ପ୍ରତି ସନ୍ଧ୍ୟାରେ ଉତ୍ସବ ପରିସର ଓଡ଼ିଆ ଖାଦ୍ୟର ବାସ୍ନାରେ ମହକୁଛି । ସାହିତ୍ୟପକ୍ଷର ପ୍ରଥମ ଦିନରେ ଓଡ଼ିଆଙ୍କ ପ୍ରିୟ ପୋଡ଼ପିଠା ସହ ସୁଆଦିଆ ପଣସ କଠା ଓ ଆଳୁ କସା, ଦ୍ବିତୀୟ ସନ୍ଧ୍ୟାରେ ଦହିବରା ଓ ଡାଲମା ଏବଂ ଆଜି ତୃତୀୟ ସନ୍ଧ୍ୟାରେ ହଦି ବରା ଓ ଆଳୁଦମ୍‌କୁ ଭରପୁର ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ ।