କନକ ବ୍ୟୁରୋ:  ଗମନା ଗମନ ସମସ୍ୟା ଦୂର ହେବ । ଗାଁରେ ତିଆରି ହେବ ପୋଲ । ଲୋକଙ୍କ ସମସ୍ୟାକୁ ନଜରରେ ରଖି କେନ୍ଦ୍ରାପଡ଼ାରେ ଦୁଇ ଦୁଇଟି ପୋଲ ନିର୍ମାଣ ପାଇଁ ନିଷ୍ପତ୍ତି ହେଲା । ଲୁଣା ଓ କରଣ୍ଡିଆ ନଦୀର ବଳାରାମପୁର ଠାରେ ୨ଟି ପୋଲ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବି ହେଲା । ୫୯ କୋଟିର ଏହି ପ୍ରକଳ୍ପ ପାଇଁ ୨୦୧୮ ଜୁନ୍‌ ୧ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶିଳାନ୍ୟାସ କରାଯାଇ କାମ ଆରମ୍ଭ ହୋଇଥିଲା। ପ୍ରକଳ୍ପ ସରିବାର ଅବଧି ଥିଲା ୨୦୨୨। ହେଲେ ଅବଧି ସରିଗଲା । କିନ୍ତୁ ଏ ପର୍ଯ୍ୟନ୍ତ ପୋଲ କାମ ସରିପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ବଢି ଚାଲିଛି । 

Advertisment

 ଏହି ପୋଲ ନିର୍ମାଣ ହୋଇଥିଲେ ପାଟକୁରାରୁ କେନ୍ଦ୍ରାପଡ଼ାକୁ ଦୂରତା କମିଥାନ୍ତା । ବନ୍ୟା ପ୍ରଭାବିତ ଲୋକଙ୍କ ଦୁଃଖ ଦୂର ହୋଇଥାନ୍ତା । ହେଲେ ଏସବୁ ଏକ ପ୍ରକାର ସ୍ବପ୍ନ ପାଲଟିଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ଏହି ନଦୀରେ ନୌପରିବହନ ବ୍ୟବସ୍ଥା ହେବ । ଏଣୁ ପୋଲର ଡିଜାଇନ୍‌ରେ ପରିବର୍ତ୍ତନ ହେବ। ଅନ୍ୟପଟେ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗ, ପ୍ରଶାସନକୁ ଜଣାଇଲେ ମଧ୍ୟ ଜମି ଅଧିଗ୍ରହଣ କରି ଦିଆଯାଇପାରିନି। ସେଥିପାଇଁ ଠିକାଦାର କାମ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି ।  କିଛି ଦିନ ତଳେ ବିଭାଗୀୟ ମନ୍ତ୍ରୀ କାର୍ଯ୍ୟ ତ୍ବରାନିତ କରିବାକୁ କ୍ଷେତ୍ର ପରିଦର୍ଶନ କରିଥିଲେ। କାମ ସରିବା ନେଇ ଆଶା ସଞ୍ଚାର ହୋଇଥିଲା। ହେଲେ ମନ୍ତ୍ରୀଙ୍କ ପରିଦର୍ଶନ ପରେ ଠିକା ସଂସ୍ଥା ବି କାମ ଛାଡି ପଳାଇଥିବା ଅଭିଯୋଗ ଆସିଛି ।