କନକ ବ୍ୟୁରୋ: କମିଶନରେଟ୍ ପୁଲିସ ଅଞ୍ଚଳରେ ଏତେ ବଡ ଘଟଣା ଘଟିବା ପରେ ବି, ଖବର ସାମ୍ନାକୁ ନଆସିବା ସନ୍ଦେହ ସୃଷ୍ଟି କରିଛି। ଉଇ କେୟାର ଉଇ ଡେୟାର ନାରା ଦେଉଥିବା କମିଶନରେଟ୍ ପୋଲିସର ନାକତଳେ ଏତେ ବଡ ଘଟଣା କେମିତି ଘଟିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ପ୍ରସଙ୍ଗରେ ତେଜିଛି ବୟାନବାଜି।

Advertisment
  • ନ୍ୟାୟ ପାଇଁ ନୟାନ୍ତ ପୀଡିତା
  • ସନ୍ଦେହରେ ପୁଲିସର ଭୂମିକା  
  • ଖବରକୁ ଚାପିବାକୁ ହୋଇଥିଲା କି ଚକ୍ରାନ୍ତ? 

ଦୁଷ୍କର୍ମଠାରୁ ବଳି ଯାଇଛି ପୀଡିତାଙ୍କ ସହ ପରେ ଯାହା ଘଟିଛି। ନ୍ୟାୟ ପାଇଁ ଦୁଷ୍କର୍ମ ପୀଡିତା ଥାନାକୁ ଯିବା ପରେ ବି ପୋଲିସ ଏଫଆଇଆର ନରଖି ତାଙ୍କୁ ଫେରାଇ ଦେଇଥିଲା। ସବୁ କଷ୍ଟକୁ ଭିତରେ ଚାପି ନ୍ୟାୟ ପାଇବା ପାଇଁ ଏ ଥାନାରୁ ସେ ଥାନାକୁ ଦୌଡୁଥିଲେ ପୀଡିତା। ହେଲେ, ବାଦାମବାଡିର ଥାନା ବାବୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡାଇ ଦେଇଥିଲେ। ଗଣଦୁଷ୍କର୍ମ ଭଳି ଲୋମହଷର୍ଣକାରୀ ମାମଲା ଥାନା ବାବୁଙ୍କୁ ବିଚଳିତ କରିନଥିଲା। ଅତି ହାଲୁକାରେ ନେଇଥିଲେ। ପୁରୀଘାଟ ଥାନାକୁ ପଠାଇ ଦେଇଥିଲେ। ଶେଷରେ ଡିସିପିଙ୍କ ନିର୍ଦ୍ଦେଶ ପରେ ବାଦାମବାଡି ଥାନା ବାବୁ ମାମଳା ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ହେଲେ, ପୁଲିସର ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାର ଗୁରୁତ୍ବକୁ ଦେଖି ପୋଲିସ ଡିଜି ଏ ଘଟଣା ଉପରେ ନଜର ଦିଅନ୍ତୁ ବୋଲି କଟକ ବାରବାଟୀ ବିଧାୟିକା କହିଛନ୍ତି। 

କଟକର ଲଜ୍ଜା ସାରାରାଜ୍ୟର ମୁଣ୍ଡକୁ ତଳକୁ କରି ଦେଇଥିବାବେଳେ ସାମନାକୁ ଆସିଛନ୍ତି ଆଇନମନ୍ତ୍ରୀ। ମହିଳା ସୁରକ୍ଷା କ୍ଷେତ୍ରରେ ସରକାର ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ବୋଲି କହିଛନ୍ତି। ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କଟକ ଗଣଦୁଷ୍କର୍ମ ମାମଲାରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। କଟକ ଯାଇ ଡିସିପିଙ୍କୁ ଭେଟି ଆଲୋଚନା କରିଛନ୍ତି। ଘଟଣାକୁ ଲଜ୍ୟାକର ନିନ୍ଦନୀୟ କହିଛନ୍ତି କମିଶନ । ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମହିଳା କମିଶନ ମିନତି ବେହେରା

ତେବେ ପ୍ରଶ୍ନ ଉଠୁଛି, ଥାନା ବାବୁ ପୀଡିତାଙ୍କୁ କାହିଁକି ଫେରାଇ ଦେଇଥିଲେ? ମାମଲାକୁ ଚପାଇ ଦେବାକୁ କେହି ଚାପ ପକାଇଥିଲେ କି?