କନକ ବ୍ୟୁରୋ : ରାସ୍ତାକଡ଼ରେ ରହିବ ପ୍ରଥପାନ୍ତ ସୁବିଧା କେନ୍ଦ୍ର । ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀ ଓ ଗାଡ଼ି ଚାଳକ ସେଠାରେ କିଛି ସମୟ ପାଇଁ ବିଶ୍ରମ ନେବେ । ଖିଆପିଆ କରି ପୁଣି ଥରେ ସେମାନଙ୍କ ଯାତ୍ରା ଆରମ୍ଭ କରିବେ । ଏହି ଉଦେଶ୍ୟରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ହେଉ କିମ୍ବା ପ୍ରମୁଖ ରାଜପଥ କଡ଼ରେ ପୂର୍ବ ସରକାରଙ୍କ ସମୟରୁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି । ନିର୍ମାଣର କିଛି ବର୍ଷ ପରେ ବନ୍ଦ ହୋଇଯାଇଛି । ଅସାମାଜିକାଙ୍କ ଆଡ୍ଡା ପାଲଟିଛି ସୁବର୍ଣ୍ଣପୁର–ସମ୍ୱଲପୁର ମୁଖ୍ୟ ରାସ୍ତାର ମେଟାକାନି ମନ୍ଦିର ନିକଟରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ।

Advertisment

ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ପ୍ରମୁଖ ରାଜପଥ କଡରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ହୋଇଛି । ପର୍ଯ୍ୟଟକ, ପଥଚାରୀ, ଡ୍ରାଇଭରଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିଛି । ଗାଡ଼ି ପାର୍କିଂଠାରୁ ଆରମ୍ଭ କରି ଖାଇବା ପିଇବା ସହ ଶୌଚାଳୟ, ମୋବାଇଲ ଚାର୍ଜିଂ ଏବଂ ଡ୍ରାଇଭରଙ୍କ ବିଶ୍ରାମ ଗୃହ ରହିଛି । ହେଲେ ତାହା କାମରେ ଆସୁନାହିଁ । ସୁବର୍ଣ୍ଣପୁର ଉଲୁଣ୍ଡା ମାଆ ମେଟାକାନି ମନ୍ଦିର ନିକଟରେ ସମ୍ୱଲପୁର-ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ପଥଚାରୀଙ୍କ କମରେ ଆସୁନି । 

ନିର୍ମାଣର ପ୍ରଥମ ୩ ବର୍ଷ ଠିକ୍‌ଠାକ୍‌ ଚାଲିଥିଲା । ହେଲେ ନୂଆ ସରକାର ବଦଳିବା ପରେ ପ୍ରାୟ ବର୍ଷେରୁ ଅଧିକ ହେବ ବନ୍ଦ ପଡ଼ିଛି ଉଲୁଣ୍ଡା ପଥପ୍ରାନ୍ତ ସୁବିଧା କେନ୍ଦ୍ର । ବ୍ୟବହାର ହେଉନଥିବାରୁ ଚାରିଆଡ଼େ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି । ଘାସ ଉଠିଗଲାଣି, ରଙ୍ଗ ବି ଛାଡ଼ି ଗଲାଣି । ଟ୍ରକ ଚାଳକ ହୁଅନ୍ତୁ କିମ୍ବା ପର୍ଯ୍ୟଟକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖୋଲା ନଥିବା ଯୋଗୁଁ କେବେ ଗଛ ମୂଳେ ତ କେବେ ପେଟ୍ରୋଲ ପମ୍ପରେ ବିଶ୍ରାମ ନେଉଛନ୍ତି । ପୂର୍ବରୁ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ବିଶ୍ରାମ ନେଉଥିଲେ ଟ୍ରକ ଡ୍ରାଇଭର, ପର୍ଯ୍ୟଟକ ଓ ପଥଚାରୀ । ଏବେ ସେମାନେ ଅସୁବିଧା ଭୋଗୁଥିବା ବେଳେ ମଦ୍ୟପ ବ୍ୟକ୍ତିମାନେ ସେଠାରେ ଆଡ଼ା ଜମାଇଛନ୍ତି । ଭୋଜ ଭାତ କରି ମନଇଛା କାରବାର କରୁଛନ୍ତି ।