କନକ ବ୍ୟୁରୋ: ରାସ୍ତା କଡ, ଗାଁ ମୁଣ୍ଡ, ବିଲମାଳ ଓ ଚାଞ୍ଚରା ପଥର ପାଲଟିଛି ଚାଷୀଙ୍କ ଧାନ ଅମଳର ସ୍ଥାନ। କିଏ ଅମଳ ଧାନକୁ ଗଦା କରି ରଖିଛି ତ, ପୁଣି କିଏ ଧାନ ଶୁଖାଉଛନ୍ତି । କେତେକ ସ୍ଥାନରେ ବିଲ ପାଖରେ ଗଦା ହୋଇଥିବା ଧାନ ଜଳିଯାଇଛି । ବର୍ଷକର ପରିଶ୍ରମ ସମୂଳେ ହରାଉଛନ୍ତି ଚାଷୀ। ତେଣୁ ଧାନ ସହଜରେ ଅମଳ ପାଇଁ ପୂର୍ବ ସରକାର ପ୍ରତି ପଞ୍ଚାୟତରେ ସମୂହ ଖଳା ଯୋଜନାରେ ଖଳା କରାଯାଇଥିଲା। ହେଲେ ସେହି ଖଳା ଚାଷୀଙ୍କ କାମରେ ଆସୁନି। କାରଣ କାଁ ଭାଁ କେଉଁଠି ଖଳା ନିର୍ମାଣ ହୋଇଥିବା ବେଳେ ଅନେକ ସ୍ଥାନରେ ଖଳା ହିଁ ନାହିଁ।
- କାମରେ ଆସୁନି ସମୁହ ଖଳା
- ରାସ୍ତା ପାଲଟିଛି ଧାନ ଅମଳ ସ୍ଥାନ
ଗଞାମରେ କାମରେ ଆସୁନି ସମୁହ ଖଳା ଯୋଜନା। ଧାନକୁ ଆମରେ ସହଯୋଗ କରିବା ପାଇଁ ପ୍ରତି ପଞ୍ଚାୟତରେ ସିମେଣ୍ଟ ଖଳାର ବ୍ୟବସ୍ଥା କରିଥିଲେ ପୂର୍ବ ସରକାର। ଗୋଟିଏ ଗୋଟିଏ ଖଳା ନିର୍ମାଣ ଲାଗି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ସମଗ୍ର ଜିଲ୍ଲାରେ କେଉଁଠି ଖଳା ନିର୍ମାଣ ସରିଛି ତ, କେଉଁଠି ଆଦୌ ହୋଇନି। ନିର୍ମାଣ ସରିଥିବା ଖଳା ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି। ଫଳରେ ଚାଷୀମାନେ ରାସ୍ତାକଡ଼, ବିଲମାଳରେ ଧାନ ଅମଳ କରିବାକୁ ବାଧ୍ୟ ହେଉଛନ୍ତି। ଧାନକୁ ଅସୁରକ୍ଷିତ ସ୍ଥାନରେ ରଖିବାରୁ ଜଗି ରହିବାକୁ ପଡ଼ୁଛି ।
ଧରାକୋଟ ଓ ଆସିକା ବ୍ଲକର ସବୁ ପଞ୍ଚାୟତରେ ସମୁହ ଖଳା ନିର୍ମାଣ ସରିଛି । କିନ୍ତୁ କିଛି ମୁଷ୍ଟିମେୟ ବ୍ୟକ୍ତି ଖଳାକୁ ନିଜ ଦଖଲରେ ରଖିଥିବାରୁ ଚାଷୀ ବାଧ୍ୟ ହୋଇ ରାସ୍ତାକଡରେ ଧାନ ଅମଳ କରୁଛନ୍ତି। ତେଣୁ ସୁରକ୍ଷିତ ସମୁହ ଖଳା ନିହାତି ଆବଶ୍ୟକ। ସେପଟେ ଭଞନଗର ଉପଜିଲ୍ଲପାଳ କହିଛନ୍ତି ବ୍ଲକ ବିଡିଓମାନଙ୍କ ସହ ଆଲୋଚନା ସମୁହ ଖଳା ସମସ୍ୟାର ସମାଧାନ କରିଯିବ ।