କନକ ବ୍ୟୁରୋ : ସରକାର ଗମନଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ବିଭାଗ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଅନେକ ରାସ୍ତା ମରଣଯନ୍ତା ପାଲଟିଛି । ବିଭାଗୀୟ ବାବୁ ଓ ଠିକାଦାର ଟଙ୍କା ଖାଇ ନିଜ ପକେଟ ଗରମ କରୁଛନ୍ତି । ଆଉ ଚୁପ୍‌ ବସିଛି ଜିଲ୍ଲା ପ୍ରଶାସନ । 

Advertisment

ରାସ୍ତାରେ ବଡ଼ବଡ଼ ଖାଲ ସାଙ୍ଗକୁ ଢଳେଇ ଫାଟି ରଡ଼ ଦିଶୁଛି । ଏମିତି ଗୋଟିଏ କି ଦୁଇଟି ନୁହେଁ, ପୂରା ରାସ୍ତାର ଅବସ୍ଥା ଏମିତି । ଯିଏ ଦେଖିବ ଭୟ ଲାଗିବ । ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କ ଅବସ୍ଥା କ’ଣ ହେଉଥିବା ଟିକେ ଭାବନ୍ତୁ । ଆଳି ବ୍ଲକ ମାନପୁର-ଗୋବିନ୍ଦପୁର ଯାଏଁ ଲମ୍ବିଥିବା ଏହି ୧୧ କିମି ରାସ୍ତା ୧୦ ପଞ୍ଚାୟତବାସୀଙ୍କ ଯା’ଆସର ପ୍ରମୁଖ ମାଧ୍ୟମ । ଆଳି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ମରାମତି ଦିଗରେ ଆଜିଯାଏଁ ବିଶେଷ କିଛି କରିନି ପ୍ରଶାସନ । ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସିଛି ।

ଅଧିକ ପଢ଼ନ୍ତୁ-Delhi Blast : ଦେଶବ୍ୟାପୀ ସୁରକ୍ଷା କଡ଼ାକଡ଼ି, ସୀମାରେ ହାଇଆଲର୍ଟ

ରାସ୍ତାର ଏପରି ଅବସ୍ଥା ପାଇଁ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଛି । ରୋଗୀଟିଏ ମେଡିକାଲ ଯିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଅନେକ ସମୟରେ ଲୋକଙ୍କ ଜୀବନ ଚାଲିଯାଉଥିବା ମଧ୍ୟ ଅଭିଯୋଗ ଆସିଛି । ହେଲେ ଏହାର ମରାମତି କରିବା ବଦଳରେ ମରାମତି ନିମନ୍ତେ ଆସୁଥିବା ଅର୍ଥକୁ ହଡ଼ପ କରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ନିମ୍ନମାନର କାମ କରୁଥିବା ଅଭିଯୋଗ ଆସିଛି । ଅନ୍ୟପଟେ ତୁରନ୍ତ କାମ ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । ଅର୍ଥ ହଡପ ଅଭିଯୋଗର ତଦନ୍ତ କରିବା ସହ ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି କରାଯାଇଛି ।