କନକ ବ୍ୟୁରୋ : ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକଠାରୁ ସମ୍ ହସ୍ପିଟାଲ ରାସ୍ତାର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମିଛି । ଡ୍ରେନ୍ ପାଣି ରାସ୍ତାରେ ମାଡ଼ି ଲୋକଙ୍କ ଘରେ ପଶିଲାଣି । ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି । ବିଏମସି ଓ ପୂର୍ତ୍ତ ବିଭାଗ ଦୋଷ ଲଦାଲଦି ଭିତରେ ଅଟକିଛି କାମ ।  

Advertisment

ରାସ୍ତାରେ ଲହଡ଼ି ଭାଙ୍ଗୁଛି ଡ୍ରେନ୍ ପାଣି,ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ । ଡ୍ରେନ୍ ପାଣି ରାସ୍ତା ଉପରେ ଜମି ରହିବା ସହ ଘରେ ପଶୁଛି । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକଠାରୁ ସମ୍ ହସ୍ପିଟାଲ ମେନ ରୋଡ୍ ଓ ସବ ରୋଡ୍ ଅବସ୍ଥା ସାଂଘାତିକ । ୬ ମାସରୁ ଅଧିକ ସମୟ ହେଲା ଏଭଳି ସ୍ଥିତି ଲାଗି ରହିଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କର ନଜର ପଡୁନି । ଅପରିଷ୍କାର ପରିବେଶ ଯୋଗୁଁ ରୋଗ ବ୍ୟାପିବାର ଆଶଙ୍କା ରହିଛି । ବାରମ୍ବାର ନିବେଦନ ଓ ଖବର ବାଜିବା ପରେ ମଧ୍ୟ କାହାର ତତ୍ପରତା ଦେଖିବାକୁ ମିଳୁନି । ଲୋକ ଏଥିପାଇଁ ସରକାର ଓ ବିଏମସି ଉପରେ ବର୍ଷିଛନ୍ତି । 

ଡ୍ରେନ୍ ପାଣି ଓ ରାସ୍ତା ସମସ୍ୟା ଯୋଗୁ ଏହି ଅଞ୍ଚଳରେ ନିରାପଦରେ ଯାତାୟାତ ସମ୍ଭବ ହେଉନାହିଁ । ଅନେକ ସମୟରେ ଦୁର୍ଘଟଣା ଘଟୁଛି । ୬ମାସ ମଧ୍ୟରେ ୮-୧୦ଟି ଦୁର୍ଘଟଣା ଘଟିଲାଣି । ହସପିଟାଲକୁ ଆମ୍ବୁଲାନ୍ସ ଠିକ୍ ଭାବେ ଯାଇପାରୁନାହିଁ । ଗୁରୁତର ରୋଗୀଙ୍କ ଜୀବନ ପ୍ରତି ବିପଦ ରହୁଛି ।  ବିଏମସି ମେୟର ଏନେଇ ସଫେଇ ଦେଇ କହିଛନ୍ତି ଯେ୍, ବିଏମସି ଅଧୀନରେ ଏହି ରୋଡ୍ ଓ ଡ୍ରେନ ଆସୁନାହିଁ । ତଥାପି ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ଓ ୧୫ ଦିନ ମଧ୍ୟରେ କାମ ସାରିବାକୁ  କୁହାଯାଇଥିବା ବିଏମସି ମେୟର ସୂଚନା ଦେଇଛନ୍ତି । ପ୍ରତିଦିନ ଏହି ଅଞ୍ଚଳକୁ ରାଜ୍ୟର ବିଭିନ୍ନ ଜାଗାରୁ ବହୁ ହଜାର ହଜାର ଲୋକ ମେଡିକାଲକୁ ଆସୁଛନ୍ତି  । ରାସ୍ତା ସମସ୍ୟା ଲାଗି ରହିଥିବାରୁ ହଇରାଣ ହେବାକୁ ପଡୁଛି ।