କନକ ବ୍ୟୁରୋ: ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ ହୋଇଛି। ହେଲେ ୫ ମାସ ହେଲା ଟ୍ରିବୁନାଲର ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଏଥିରୁ ଜଣାପଡ଼ୁଛି, ମହାପଦୀ ବିବାଦର ସମାଧାନ ପାଇଁ ଆନ୍ତରିକତା କେତେ? ଏବେ କେନ୍ଦ୍ର, ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଥିବାରୁ ବିବାଦର ସମାଧାନ ହେବା ନେଇ ଆଶା ସଂଚାର ହୋଇଛି। ହେଲେ କେବେ ସମାଧାନ ହେଉଛି, ତା ଉପରେ ନଜର ରହିଛି।
ପୋଲାଭରମ ପରେ ମହାନଦୀ ଅନ୍ତରାଜ୍ୟ ଜଳ ବିବାଦ ଓଡ଼ିଶା ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗୋଟିଏ ପଟେ ମହାନଦୀର ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ ଜାରି ରଖିଥିବା ବେଳେ ଅନ୍ୟପଟେ ଓଡ଼ିଶା କେବଳ ଅଭିଯୋଗର ଫର୍ଦ୍ଦ ଧରି ବସି ରହିଛି। ମହାନଦୀ ଅନ୍ତଃରାଜ୍ୟ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲରେ ଦୀର୍ଘ ୫ ମାସ ହେବ ଅଧ୍ୟକ୍ଷ ନଥିବାରୁ ନା ଶୁଣାଣି ହୋଇପାରୁଛି ନା ଓଡ଼ିଶାକୁ ଟ୍ରିବ୍ୟୁନାଲରୁ କୌଣସି ସୁରକ୍ଷା ମିଳୁଛି।
ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ବହୁ ପୁରୁଣା
- ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ ପାଇଁ ଅଣମୌସୁମୀ ସମୟରେ ଓଡ଼ିଶାକୁ ଆସୁନି ଆବଶ୍ୟକ ଜଳ
- ଅଣମୌସୁମୀ ସମୟରେ ଶୁଖିଯାଉଛି ଓଡ଼ିଶାର ଜୀବନଧାରା
- ପୂର୍ବ ସରକାର ସମୟରେ ହୋଇପାରିନଥିଲା ମହାନଦୀ ଅନ୍ତଃରାଜ୍ୟ ଜଳ ବିବାଦର ସମାଧାନ
୨୦୧୬ରେ ଏହି ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏପରିକି ଏଥିପାଇଁ ୨୦୧୮ରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ମଧ୍ୟ ଶୁଣାଣିରେ ଓଡ଼ିଶାକୁ ଆଶ୍ବସନା ଛଡା କୌଣସି ସୁଫଳ ମିଳିନାହିଁ। ଏବେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ଫାଙ୍କା ପଡିଥିବା ବେଳେ କେବେ ନୂଆ ନିଯୁକ୍ତି ମିଳୁଛି ତାହା ଅସ୍ପଷ୍ଟ। କିନ୍ତୁ ଏହା ଭିତରେ ପ୍ରଶ୍ନ ଉଠୁଛି,
ମହାନଦୀ ଅନ୍ତଃରାଜ୍ୟ ଜଳ ବିବାଦର ଭବିଷ୍ୟତ କ’ଣ ହେବ?
ଓଡ଼ିଶାକୁ ନ୍ୟାୟ ମିଳିବ ତ ?
ଏବେ କେନ୍ଦ୍ର, ରାଜ୍ୟ ଓ ଛତିଶଗଡରେ ବିଜେପି ସରକାର ଥିବାରୁ ମହାନଦୀ ଅନ୍ତଃରାଜ୍ୟ ଜଳ ବିବାଦର ସମାଧାନ କେବେ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି।
Follow Us