କନକ ବ୍ୟୁରୋ: ଧୀରେଧୀରେ କରାଳ ରୂପ ଦେଖାଉଛି ବୁଢ଼ାବଳଙ୍ଗ ନଦୀ। କୂଳ ଖାଇ ଗାଁ ଆଡ଼କୁ ମାଡ଼ିଆସୁଛି। କିଛିବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ଚଣାବାଡ଼ିଆ ଓ ଅକ୍ଷରଶିଳା ଗାଁ ନଦୀଗର୍ଭରେ ଲୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ପ୍ରତିକାର ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରି କଲେ ବି ସୁଫଳ ମିଳୁନି । ୨ ଗାଁର ଶତାଧିକ ପରିବାର ବେଘର ଓ ଭୂମିହୀନ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ।
୨୦୧୩ରେ ଆସିଥିବା ବାତ୍ୟା ଫାଇଲିନ୍ ପ୍ରଭାବରେ ବୁଢ଼ାବଳଙ୍ଗ ନଦୀର ଗତିପଥ ବଦଳିଯାଇଥିଲା। ସେବେଠୁ ଭୟରେ ରହୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ଚଣାବାଡ଼ିଆ ଓ ଅକ୍ଷରଶିଳା ଗାଁ ଲୋକ। ପ୍ରତିବର୍ଷ ବନ୍ୟାରେ ନଦୀ କୂଳ ଖାଇ ୧୦ରୁ ୨୦ ମିଟର ଗାଁ ଆଡ଼କୁ ମାଡ଼ିଆସୁଛି। ୧୫ ଏକରରୁ ଅଧିକ ଚାଷଜମି ନଦୀଗର୍ଭରେ ଲୀନ ହୋଇଗଲାଣି । ନଦୀ ଗର୍ଭଠାରୁ ଗାଁର ଉଚ୍ଚତା ୨୫ ଫୁଟରୁ ଅଧିକ ହେବ । ଦୂରତା ମାତ୍ର ୨ଶହ ମିଟର। ଏହି ପ୍ରକ୍ରିୟା ଜାରି ରହିଲେ କିଛିଦିନରେ ୨ଟି ଗାଁ ମାନଚିତ୍ରରୁ ହଜିଯିବା ଆଶଙ୍କା ରହିଛି ।
ଦୁଇ ଗାଁକୁ ବଞ୍ଚାଇବା ପାଇଁ ୨୦୨୩ ଫେବ୍ରୁଆରିରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଗ୍ରାମବାସୀ ଗୁହାରି କରିଥିଲେ। ପୂର୍ବ ସରକାରଙ୍କ ସମୟରେ ବିଭିନ୍ନ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଆସି ସର୍ଭେ କରିଥିଲେ। ଏବେର ବିଧାୟିକା ସଞ୍ଜଳି ମୁର୍ମୁଙ୍କୁ ବି ଏନେଇ ଅବଗତ କରାଯାଇଛି। ହେଲେ ଫଳ ଶୂନ। ଶେଷରେ ଗାଁ ଲୋକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଶୀଘ୍ର ଏକ ଟିମ୍ ପଠାଇ ସ୍ଥିତି ସମୀକ୍ଷା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ। ନିର୍ବାଚନ ସମୟରେ ନେତା ଗାଁକୁ ଆସନ୍ତି, ଅନେକ ପ୍ରତିଶ୍ରୁତି ଦିଅନ୍ତି। ପରେ ଲୋକଙ୍କ ଦୁଃଖ ଆଉ ମନେପଡ଼େନି। ଏବେ ଦେଖିବାର କଥା, କେବେ ବୁଢ଼ାବଳଙ୍ଗ ପ୍ରକୋପରୁ ଦୁଇ ଗାଁକୁ ରକ୍ଷା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/31/budhabalang-2025-08-31-18-32-25.jpg)