କନକ ବ୍ୟୁରୋ : ଭାରତକୁ ସାଧାରଣତଃ ଏକ କୃଷିପ୍ରଧାନ ଦେଶ ଭାବେ ଜଣାଯାଏ ଏବଂ ଗାଁ କହିଲେ ଆମ ମନକୁ ମାଟି ଘର, କଚ୍ଚା ରାସ୍ତା ଏବଂ ସାଧାରଣ ଜୀବନଶୈଳୀର ଚିତ୍ର ଆସିଥାଏ । କିନ୍ତୁ ଭାରତରେ ଏପରି ଏକ ଗାଁ ଅଛି, ଯାହା କେବଳ ଭାରତର ନୁହେଁ ବରଂ ବିଶ୍ୱର ସବୁଠାରୁ ଧନୀ ଗାଁ ଭାବେ ପରିଚିତ । ଏହି ଗାଁର ନାଁ ହେଉଛି ମାଧାପାର ।

Advertisment

ଗୁଜରାଟର କଚ୍ଛ ଜିଲ୍ଲାରେ ଅବସ୍ଥିତ ମାଧାପାର ଗାଁ ବ୍ୟାଙ୍କରେ ଜମା ଥିବା ଅର୍ଥ ପରିମାଣକୁ ନେଇ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହି ଗାଁରେ ଥିବା ବ୍ୟାଙ୍କଗୁଡ଼ିକରେ ହଜାର ହଜାର କୋଟି ଟଙ୍କା ଜମା ରହିଛି, ଯାହା ଏହାକୁ ଦୁନିଆର ସବୁଠାରୁ ଧନୀ ଗାଁର ମାନ୍ୟତା ଦେଇଛି । ମାଧାପାରର ପ୍ରାୟ ୬୫% ଲୋକ ବିଦେଶରେ ଦେଶମାନଙ୍କରେ ବସବାସ କରନ୍ତି । ଏହି ଲୋକମାନେ ନିଜ ମାଟିକୁ ଭୁଲି ନାହାନ୍ତି ଏବଂ ନିଜ ରୋଜଗାରର ଏକ ବଡ଼ ଅଂଶ ଗାଁରେ ଥିବା ବ୍ୟାଙ୍କ ଏବଂ ଡାକଘରେ ଜମା କରନ୍ତି ।

ମାଧାପାରରେ ପ୍ରାୟ ୧୭ଟି ଜାତୀୟକରଣ ଓ ଘରୋଇ ବ୍ୟାଙ୍କର ଶାଖା ରହିଛି । ସୂଚନା ଅନୁସାରେ ଏହି ବ୍ୟାଙ୍କଗୁଡିକରେ ଗ୍ରାମବାସୀଙ୍କର ପ୍ରାୟ ୭ ହଜାର କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ରହିଛି । ପ୍ରତି ପରିବାର ପିଛା ହାରାହାରି ୧୫ ଲକ୍ଷରୁ ୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା ଅଛି । ଅର୍ଥର ପ୍ରାଚୁର୍ଯ୍ୟ ଯୋଗୁଁ ମାଧାପାର କୌଣସି ଆଧୁନିକ ସହରଠାରୁ କମ୍ ନୁହେଁ । ଏଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । ଏହି ଗାଁରେ ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ କଲେଜ ମଧ୍ୟ ରହିଛି । ୧୮୮୪ ମସିହାରେ ଏଠାରେ ପ୍ରଥମ ସରକାରୀ ବାଳକ ବିଦ୍ୟାଳୟ ଏବଂ ୧୯୦୦ ମସିହାରେ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।ଏଠାରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲର ସୁବିଧା ରହିଛି । ଏଠାରେ ପକ୍କା ରାସ୍ତା, ପାନୀୟ ଜଳ, ବଡ଼ ବଡ଼ ବଙ୍ଗଳା, ମନ୍ଦିର ଏବଂ ହ୍ରଦ ଭଳି ସମସ୍ତ ସୁବିଧା ରହିଛି । ୧୯୯୦ ଦଶକରେ ଏହା ଭାରତର ପ୍ରଥମ ହାଇ-ଟେକ୍ ଗାଁ ଭାବେ ପରିଚିତ ହୋଇଥିଲା ।

ମାଧାପାର ଗାଁ ପରିଶ୍ରମ, ସଞ୍ଚୟ ଏବଂ ନିଜ ମାଟି ପ୍ରତି ଥିବା ଭଲପାଇବାର ଏକ ଜ୍ୱଳନ୍ତ ଉଦାହରଣ । ଏଠାକାର ଲୋକମାନେ ବିଶ୍ୱର କୋଣ ଅନୁକୋଣରେ ରହି ମଧ୍ୟ ନିଜ ଗାଁର ବିକାଶରେ ଯେଉଁଭଳି ଭାବେ ଯୋଗଦାନ ଦେଉଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।