କନକ ବ୍ୟୁରୋ: ସାମ୍ନାକୁ ଆସିଲା ଏଡ଼ିଆର ରିପୋର୍ଟ । ଆଉ ସାମ୍ନାକୁ ଆସିଲା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ପତ୍ତିର ପରିମାଣ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ କେତେ ଟଙ୍କା ଅଛି, ତାହା ଜାଣିବାକୁ ଅନେକ ଲୋକ ଚାହୁଁଥିବେ । ଯାହାକୁ ଏବେ ସାମ୍ନାକୁ ଆଣିଛି ଏଡିଆର ରିପୋର୍ଟ । ଏହି ରିପୋର୍ଟ ମୁତାବକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ପତ୍ତି ହେଉଛି ୧ କୋଟି ୯୭ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ, ତା ସହିତ ତାଙ୍କ ଉପରେ ୯୫ ଲକ୍ଷ ଟଙ୍କାର ଋଣ ମଧ୍ୟ ରହିଥିବା ନେଇ ରିପୋର୍ଟ ପ୍ରକାଶ କରିଛି ଏଡିଆର ।
ଅନ୍ୟପଟେ ଓଡ଼ିଶାର କେଉଁ ବିଧାୟକଙ୍କ ସମ୍ପତ୍ତି କେତେ? କେଉଁ ବିଧାୟକ ମାସକୁ କେତେ ଟଙ୍କା ରୋଜଗାର କରୁଛନ୍ତି, ସେନେଇ ମଧ୍ୟ ତମାମ ରିପୋର୍ଟ ପ୍ରକାଶ କରିଛି ଏଡିଆର । ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ବିଜେପିର ସବୁଠୁ ଅଧିକ କୋଟିପତି ବିଧାୟକ ରହିଥିଲାବେଳେ, ବିରୋଧୀ ଆସନରେ ବସିଥିବା ବିଜେଡି ପାଖରେ ରହିଛନ୍ତି ୪୩ ଜଣ କୋଟିପତି ବିଧାୟକ । ରାଜ୍ୟ ବିଜେପି ପାଖରେ ବର୍ତ୍ତମାନ ସବୁଠୁ ଅଧିକ ୫୨ ଜଣ କୋଟିପତି ବିଧାୟକ ରହିଥିବାବେଳେ, ବିଜେଡି ପାଖରେ ୪୩ ଜଣ ଏବଂ କଂଗ୍ରେସର ଜଣେ ବିଧାୟକ ହେଉଛନ୍ତି କୋଟିପତି ।
ବ୍ୟକ୍ତିଗତ ଭାବେ ଦେଖିଲେ, ବିଜେଡି ତଥା ଚମ୍ପୁଆର ବିଧାୟକ ସନାତନ ମହାକୁଡଙ୍କ ପାଖରେ ଅଛି ସବୁଠୁ ଅଧିକ ଟଙ୍କା । ବର୍ତ୍ତମାନ ତାଙ୍କ ପାଖରେ ୨୨୭ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ, ତାଙ୍କ ପଛକୁ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ପାଖରେ ୧୩୫ କୋଟି ଟଙ୍କାର ସମ୍ପତ୍ତି ଆଉ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପାଖରେ ୭୩ କୋଟି ଟଙ୍କାର ସମ୍ପତ୍ତି ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
ସେହିପରି ସବୁଠୁ କମ୍ ସମ୍ପତ୍ତି ଥିବା ବିଧାୟକଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି, ବାଙ୍ଗିରିପୋଷିର ବିଜେପି ବିଧାୟକ ସଞ୍ଜଳୀ ମୁର୍ମୁ । ତାଙ୍କ ପାଖରେ ଏବେ ମୋଟ ୩୫ ହଜାର ଟଙ୍କାର ସମ୍ପତ୍ତି ଥିବାବେଳେ, ତାଙ୍କ ପଛକୁ ମାଲକାନଗିରି ବିଧାୟକ ମଙ୍ଗୁ ଖିଲଙ୍କ ପାଖରେ ୧ ଲକ୍ଷ ୪୭ ଲକ୍ଷ ହଜାର ଆଉ ପବିତ୍ର ସାଉଣ୍ଟାଙ୍କ ପାଖରେ ମାତ୍ର ୨ ଲକ୍ଷ ୯୦ ହଜାର ଟଙ୍କାର ସମ୍ପତ୍ତି ଅଛି ।
୨୦୨୪ରେ ମୁଖ୍ୟମନ୍ତ୍ରୀ ଆସନରୁ ଆସି, ବିରୋଧୀ ଦଳ ନେତା ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ୭୧ କୋଟି ଟଙ୍କା ବୋଲି ଜଣାପଡିଛି । ସେହିପରି ଉପ-ମୁଖ୍ୟମନ୍ତ୍ରୀ ଥିବା କନକ ବର୍ଦ୍ଧନ ସିଂହଦେଙ୍କ ସମ୍ପତ୍ତି ୬୭ କୋଟି ଏବଂ ପ୍ରଭାତୀ ପରିଡାଙ୍କ ସମ୍ପତ୍ତି ୩ କୋଟି ୬୪ ଲକ୍ଷ ବୋଲି ଜଣାପଡିଛି ।