କନକ ବ୍ୟୁରୋ : ସମୟ ଗଡୁଛି, ଚିନ୍ତା ବଢୁଛି। ଅଦିନିଆ ବର୍ଷାରେ ବେହାଲ ଚାଷୀକୁଳଙ୍କ ଭରସା ଭାଙ୍ଗି ଦେଉଛି ମଣ୍ଡି ବ୍ୟବସ୍ଥା। ଚାଷୀ ଭାବିଥିଲେ, ବର୍ଷା ଦାଉରୁ ବର୍ତି ଯାଇଥିବା ଫସଲ ଅମଳ କରି ମଣ୍ଡିରେ ବିକିବେ। ଦୁଇ ପଇସା ପାଇବେ। ହେଲେ ଖୋର୍ଦ୍ଧା ଜିଲ୍ଲାରେ ଏଯାଏଁ ଟୋକେନ ମିଳିନି କି ମଣ୍ଡି ଖୋଲିନି। ଫଳରେ ଚାଷୀଙ୍କ ଆଶା ଧୂଳିସାତ ହୋଇଯିବାକୁ ବସିଛି।

Advertisment

ଚାଷୀ ଓ ଚଷାର ଅଞ୍ଚଳ ଖୋର୍ଦ୍ଧା। ଚାଷରୁ ଯେଉଁ ପଇସା ମିଳେ ସେଥିରେ ଚାଷୀ ପରିବାର ପେଟକୁ ବର୍ଷକ ପାଇଁ ଦାନା ଆସେ। ହେଲେ ଏଥର ଖରିଫ ଫସଲ ଅମଳ ସମୟରେ ସତେ ଯେମିତି ଚାଷୀଙ୍କ ପିଛା ଛାଡୁନି ସମସ୍ୟା। ପ୍ରଥମେ ଅଦିନିଆ ବର୍ଷା ପରେ ହାତୀ ଉପଦ୍ରବ ଆଉ ଏବେ ମଣ୍ଡି ଅବ୍ୟବସ୍ଥା, ଚଷାପୁଅର ନିଦ ହଜେଇ ଦେଇଛି। ଖୋର୍ଦ୍ଧା ଜିଲ୍ଲାରେ ଏଯାଏଁ ମଣ୍ଡି ଖୋଲିନାହିଁ କି ଚାଷୀଙ୍କୁ ଟୋକନ ମିଳିନାହିଁ। ତେଣୁ ସରକାରୀ ମଣ୍ଡିରେ ଧାନ ବିକିବା ନେଇ ପଞ୍ଜିକରଣ କରିଥିବା ଚାଷୀ ମୋବାଇଲ ମେସେଜକୁ ଅପେକ୍ଷା କରି ରହିଛନ୍ତି । 

 ସରକାର ସବୁ ଧାନ କିଣିବେ, ଚାଷୀଙ୍କୁ ବୋନସ ଦେବେ ବୋଲି ଘୋଷଣା କରିଛନ୍ତି। ହେଲେ ଖୋର୍ଦ୍ଧାର ସ୍ଥିତି ଦେଖିଲେ ତାହା କେବଳ ନାମକୁ ମାତ୍ର ଘୋଷଣା ବୋଲି ଲାଗୁଛି। ଟୋକେନ୍ ଦେବା ସହ ମଣ୍ଡି ଖୋଳିବା ପାଇଁ ଦାବି କରିଛନ୍ତି ଖୋର୍ଦ୍ଧା ଚାଷୀ। ସେପଟେ ଲଘୁଚାପ ଜନିତ ବର୍ଷା ପାଇଁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଚଳିତ ବର୍ଷ ୪୯ ହଜାର ଚାଷୀଙ୍କ ଠାରୁ ୧୨ଲକ୍ଷ ୪୧ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି।