କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି । ଏହା ଭିତରେ କିଛି ପିଲା ସମର କୋର୍ସରେ ପାଠ ପଢ଼ା ଆରମ୍ଭ କରିଛନ୍ତି। କିନ୍ତୁ ରେଜଲ୍ଟ ବାହାରିବା ପରେ ଭବିଷ୍ୟତରେ କଣ ପଢ଼ିବେ ସେନେଇ ଚୂଡାନ୍ତି ନିଷ୍ପତ୍ତି ନେବେ । ତେବେ ଛାତ୍ରଛାତ୍ରୀ ରେଜଲ୍ଟ ଅପେକ୍ଷାରେ ଥିବାବେଳେ ବଡ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।
ଚଳିତବର୍ଷ ରାଜ୍ୟରେ ୫, ୧୦, ୭୭୮ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟକୁ ମିଶାଇ ଅଛନ୍ତି ମୋଟ୍ ୫, ୨୨, ୩୩୬ ଜଣ ପରୀକ୍ଷାର୍ଥୀ। ସମସ୍ତଙ୍କ ଅପେକ୍ଷା ଆସନ୍ତା ମେ' ମାସ ପ୍ରଥମ ଭାଗରେ ଶେଷ ହେବାକୁ ଯାଉଛି । ଏବର୍ଷ ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ପ୍ରଶ୍ନ ଆସିଥିବାରୁ ପରୀକ୍ଷାର୍ଥୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ବିଜ୍ଞାନରେ ଗ୍ରେସ୍ ମାର୍କ ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ ।
ପ୍ରଥମ ଥର ପାଇଁ ପ୍ରଶ୍ନପତ୍ରରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା ହୋଇଥିବାରୁ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍କୁ ସମ୍ପୂର୍ଣ୍ଣ ରୋକାଯାଇ ପାରିଛି । ସବୁ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ଓ ୪ ସ୍ତରୀୟ ସ୍କ୍ବାଡ୍ ପାଇଁ କପି ମଧ୍ୟ ଆଶାନୁରୂପ ବନ୍ଦ ହୋଇପାରିଛି । ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ଶେଷ ହୋଇଥିଲା। ମାର୍ଚ୍ଚ ୧୯ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା ବେଳେ ଆଉ ଦୁଇଦିନ ମଧ୍ୟରେ ଖାତାଦେଖା ସରିବ। ।
୩, ୧୩୩ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିବା ବେଳେ ପ୍ରଶ୍ନପତ୍ର ରଖିବା ପାଇଁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଥିଲା। ୫୧ଟି କେନ୍ଦ୍ରରେ ଉତ୍ତର ଖାତା ମୂଲ୍ୟାୟନ ଚାଲିଥିବା ବେଳେ ଟାବୁଲେସନ ପରେ ମେ' ପ୍ରଥମ ଭାଗରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ । ଫଳ ପ୍ରକାଶ ସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ ।