କନକ ବ୍ୟୁରୋ : ସାରା ପଶ୍ଚିମ ଓଡ଼ିଶାରେ ସରିଲାଣି ନୂଆଁଖାଇ । ହେଲେ କଳାହାଣ୍ଡିରେ ଚାଲିଛି ନୂଆଁଖାଇ ପର୍ବ । ଆଜି ଗଡ଼ଜାତ ଅଞ୍ଚଳରେ ବେଶ ଧୁମଧାମରେ ପାଳନ ହୋଇଛି ଏହି ପର୍ବ । ମା’ ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗିହେବା ପରେ ନୂଆ ଖାଇଛନ୍ତି ଗଡ଼ଜାତବାସୀ । ନୂଆଁଖାଇ ପର୍ବକୁ ନେଇ କଳହାଣ୍ଡିର ଗଡ଼ ଜାତ ଅଞ୍ଚଳରେ ଦେଖିବାକୁ ମିଳିଛି ଉତ୍ସାହର ମାହୋଲ । ମା’ ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ମନ୍ଦିରରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଏହାପରେ ନୂଆ ଖାଇ କୃଷିଭିତକ ଗଣପର୍ବ ନୂଆଁଖାଇ ପାଳିଛନ୍ତି ଗଡ଼ଜାତବାସୀ । ଖିରି ପୁରି ପିଠା ପଣାରେ ମହକି ଉଠିଥିଲା ପରିବେଶ। ଜୁହାର ଭେଟ ସରିବା ପରେ ନାଚଗୀତରେ ମଜ୍ଜି ଯାଇଥିଲେ ଅଞ୍ଚଳବାସୀ ।
ଗଣେଶ ପୂଜା ପରଦିନ ଅର୍ଥାତ ଭାଦ୍ରବ ପଞ୍ଚମୀକୁ ନୂଆଁଖାଇ ରୂପେ ପାଳିଥାନ୍ତି ପଶ୍ଚିମ ଓଡିଶାବାସୀ । ହେଲେ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ପ୍ରତିପଦା ଠାରୁ ଦଶହରା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଭିନ୍ନ ଭିନ୍ନ ତିଥିରେ ନୂଆଁଖାଇ ପାଳନ ହୋଇଥାଏ। ଜିଲ୍ଲାର ଗଡଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମା’ଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ଆଜି ନୂଆଁଖାଇ ପାଳିତ ହୋଇଛି ।