କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଅଛି ପର୍ୟ୍ୟଟନ ସ୍ଥଳୀ ବାଲଡା ନାଗେଶ୍ବରୀ। ଏହି ପାହାଡ ଗୁମ୍ଫାରେ ଇଷ୍ଟଦେବୀ ନାଗେଶ୍ବରୀଙ୍କୁ ପୂଜା କରି ଆସୁଛନ୍ତି ସ୍ଥାନୀୟ ଅଧିବାସୀ। ସରକାର ଏହାକୁ ଘରୋଇ କମ୍ପାନୀକୁ ଦେବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏକଥା ଜାଣି ଗ୍ରାମବାସୀଙ୍କ ମନରେ ଅସନ୍ତୋଷର ନିଆଁ ଜଳୁଛି । ତୁରନ୍ତ ଘରୋଇ କମ୍ପାନୀ ହସ୍ତାନ୍ତର ପ୍ରକ୍ରିୟା ବନ୍ଦ କରିବାକୁ ଦାବି କରିଛନ୍ତି । ୨୦୦୮ରେ ନାଗେଶ୍ବରୀ ପାହାଡ଼କୁ ପର୍ୟ୍ୟଟନ ସ୍ଥଳୀ ଭାବେ ଘୋଷଣା କରିଥିଲେ ତତ୍କାଳୀନ ସରକାର । କିନ୍ତୁ ବର୍ତ୍ତମାନର ସରକାର ବିନା ଗ୍ରାମସଭାରେ ଘରୋଇ କମ୍ପାନୀକୁ ଟେକି ଦେଇଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । 

Advertisment

ଘରୋଇ କମ୍ପାନୀ ପାହାଡ଼ ନେଇ ଖଣି ଖନନ କଲେ ଅଞ୍ଚଳର ବିକାଶ ବଦଳରେ ବିନାଶ ହେବ ! ଅଞ୍ଚଳବାସୀ ଜୀବନ ଜୀବିକା ହରାଇବା ସହ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ ! ଏମିତି ଆଶଙ୍କା କରି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ୫ଟି ଗ୍ରାମର ଗ୍ରାମବାସୀ । ବିରାଟ ରାଲିରେ ଆସି ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଆଗାମୀ ଦିନରେ ଖଣି ଖନନ ଉପରେ ରୋକ ନଲାଗିଲେ, ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାଇ ଦେଇଛନ୍ତି । ଗ୍ରାମବାସୀଙ୍କୁ ସମର୍ଥନ କଂଗ୍ରେସ କରିବ ବୋଲି କହିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା ।