କନକ ବ୍ୟୁରୋ:  ଗଞ୍ଜାମ ଆସିକା ବ୍ଳକ କୈବଲ୍ୟପୁର । ଗାଁରେ ବସବାସ କରନ୍ତି ୧୨୦ ପରିବାର । ବର୍ଷ ତମାମ୍‌ ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ । ପିଇବା ପାଣି ମୁନ୍ଦେ ସଂଗ୍ରହ କରିବା କଷ୍ଟକର ହୋଇପଡୁଛି । କେବଳ ପିଇବା ପାଣି ନୁହେଁ, ଗାଧୋଇବାକୁ ବି ନାହିଁ ପାଣି । କୂଅ, ପୋଖରୀ ସବୁ ଶୁଖିଲା । ତେଣୁ ଘର ଠାରୁ ୨ କିଲୋମିଟର ଦୂରକୁ ଗାଧୋଇବାକୁ ଯାଇଥାନ୍ତି କୈବଲ୍ୟପୁର ଗ୍ରାମବାସୀ । ସେଠାରେ ଥିବା ପୋଖରୀର ପଙ୍କମିଶା ପାଣିରେ ବାଧ୍ୟ ହୋଇ କର୍ମକୁ ଆଦରି ଗାଧାନ୍ତି ।

Advertisment

ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ୨ବର୍ଷ ତଳୁ ପାଣି ଟାଙ୍କି ନିର୍ମାଣ ହୋଇଛି । ପ୍ରତିଘର ଆଗରେ ଷ୍ଟାଣ୍ଡ୍‌ ପୋଷ୍ଟ ବି ରହିଛି । ହେଲେ ସେଥିରେ ପାଣି ଆସୁନି । ପାଇପ୍‌ ପାଣି ପାଇଁ ଲୋକମାନେ ଅନେକ ଥର ରାଜନେତା ଓ ସରକାରୀ ବାବୁଙ୍କୁ ଗୁହାରି କରିଛନ୍ତି । ହେଲେ କେହି ଶୁଣୁନାହାନ୍ତି । ସେପଟେ ଗାଁରେ ଥିବା ୩ଟି ନଳ କୂପରୁ ଗୋଟିଏ ଅଚଳ । ଆଉ ଦୁଇଟିରୁ ଆଇରନ୍ ମିଶା ପାଣି ବାହାରୁଥିଲେ ମଧ୍ୟ ତାକୁ ନେବା ଲାଗି ରାତି ୪ଟାରୁ ଭିଡ଼ ଜମାଇବାକୁ ପଡୁଛି ।  ବ୍ଲକ ପ୍ରଶାସନ ପକ୍ଷରୁ ଦୁଇ ତିନି ଦିନରେ ଥରେ ଗୋଟିଏ ଟ୍ୟାଙ୍କରେ ପାଣି ଯୋଗାଇ ଦିଆଯାଉଛି। ତାହା କୈବଲ୍ୟପୁର ପାଇଁ ସମୁଦ୍ରକୁ ଶଙ୍ଖେ କହିଲେ ଚଳେ ।