କନକ ବ୍ୟୁରୋ: ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଟ୍ରମ୍ପଙ୍କ ନିମନ୍ତ୍ରଣ । ପାକିସ୍ତାନ ଫିଲଡ ମାର୍ଶଲ ଅସୀମ ମୁନିରଙ୍କୁ କାହିଁକି ଲଞ୍ଚ ପାଇଁ ଡାକିଲେ ଆମେରିକା ରାଷ୍ଟ୍ରପତି? କାହିଁକି କୌଣସି ଗଣମାଧ୍ୟମକୁ ନିମନ୍ତ୍ରଣ ଦିଆଗଲାନି? କାହିଁକି ବୈଠକର ଫଟୋ କିମ୍ବା ଭିଡିଓ ଜାରି କଲାନି? ଏନେଇ ଅନେକ ପ୍ରଶ୍ନ ଉଠିଲାଣି । ସେପଟେ ଟ୍ରମ୍ପ କହିଛନ୍ତି ଭାରତ-ପାକିସ୍ତାନ ଯୁଦ୍ଧ ବିରାମ ପାଇଁ ପାକିସ୍ତାନ ତାଙ୍କୁ ଧନ୍ୟବାଦ ଜଣାଇଛି ଓ ତେଣୁ ଅସୀମଙ୍କୁ ହ୍ବାଇଟହାଉସକୁ ନିମନ୍ତ୍ରଣ କରିଥିଲେ ।
ହ୍ବାଇଟହାଉସରେ ପାକିସ୍ତାନ ଫିଲ୍ଡ ମାର୍ଶଲ ପହଞ୍ଚିବା ଘଟଣା ବେଶ ଚର୍ଚ୍ଚା ସାଉଁଟିଥିଲା । ଅସୀମ ମୁନୀରଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ଖବରକୁ ଦିନକ ପୂର୍ବରୁ ଖଣ୍ଡନ କରୁଥିବା ଟ୍ରମ୍ପ ଠିକ ପରଦିନ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥିଲେ । ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ ଥିଲା ସେତିକି ପ୍ରଶ୍ନ ମଧ୍ୟ ଛିଡା କରିଛି ।
ମୁନିରଙ୍କୁ ନିମନ୍ତ୍ରଣ ପଛର କାରଣ?
-କାହିଁକି ଅସୀମଙ୍କୁ ନିମନ୍ତ୍ରଣ ଦେଲେ ଟ୍ରମ୍ପ?
-ଭାରତର ଶତ୍ରୁ ଦେଶର ସେନାମୁଖ୍ୟଙ୍କୁ ନିମନ୍ତ୍ରଣ କରି କ’ଣ ପ୍ରମାଣ କରୁଛି ଆମେରିକା?
-ଜଣେ ରାଷ୍ଟ୍ରର ମୁଖ୍ୟ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ବୈଠକ ଓ ଭୋଜନ କରିବା ସ୍ବାଭାବିକ
-କିନ୍ତୁ ପ୍ରଧାନମନ୍ତ୍ରୀ ଶେହେବାଜଙ୍କ ବଦଳରେ ଅସୀମ ହ୍ବାଇଟ୍ ହାଉସର ଅତିଥି କ’ଣ ପାଇଁ?
ଏହା ଭିତରେ ଗୋଟିଏ କଥା କୁହାଯାଇପାରେ ପାକିସ୍ତାନ ଯେତେ ପରମାଣୁ ଧମକ ଦେଲେ ବି ଆର୍ଥିକ ଓ କୂଟନୀତି ଦୃଷ୍ଟିରେ ବେଶ ଦୁର୍ବଳ । ଆତଙ୍କବାଦ ପାଇଁ ବିଶ୍ବବ୍ୟାପୀ ନିନ୍ଦା ଅପବାଦ ସହୁଥିବା ପାକିସ୍ତାନ ନିକଟରେ କେବଳ କିଛି ଇସଲାମିକ ରାଷ୍ଟ୍ରଙ୍କ ସମର୍ଥନ ରହିଛି । ଏହା ଭିତରେ ଆମେରିକାକୁ ପ୍ରଶଂସା କରି, ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ପ୍ରସ୍ତାବ ଦେଇ ପାକିସ୍ତାନ ସାହାଯ୍ୟ ଚାହୁଛି । ସେପଟେ ଆମେରିକା ମଧ୍ୟ ମୌକାର ଫାଇଦା ଉଠାଇବାକୁ ନୂଆ ମାଇଣ୍ଡ ଖେଳୁଥାଇପାରେ । ଆଗାମୀ ଦିନରେ ପାକିସ୍ତାନକୁ ସାହାଯ୍ୟ ବଦଳରେ ବଡ ଡିଲ କରିପାରେ ଆମେରିକା । ପାକ ଏୟାରବେସକୁ ବ୍ୟବହାର କରି ଶତ୍ରୁ ରାଷ୍ଟ୍ର ଚୀନକୁ ଟାର୍ଗେଟ କରିବା ସମ୍ଭାବନା ମଧ୍ୟ ରହିଛି । ଏଭଳି ସ୍ଥଳରେ ଲଞ୍ଚ ଡିପ୍ଲୋମେସି ଏକ ମାଧ୍ୟମ ମାତ୍ର ହୋଇପାରେ ।
ଏହି ଘଟଣା ଆମେରିକାର ଦୋମୁହାଁନୀତି ପୁଣି ପଦାରେ ପକାଇଛି । ଏହି ଆତିଥ୍ୟ ପଛର କାରଣ କେବଳ ଏକ ପ୍ରଶଂସା ନା ନୋବେଲ ଡିଲ ନା ଆଛ କିଛି ସେକଥା ଏବେବି ସ୍ପଷ୍ଟ ହୋଇନି । କିନ୍ତୁ ଏକଥା ମାନିବାକୁ ପଡିବ ଯେଉଁଠି ମିଛ ଦାବି କରି ପ୍ରଶଂସା ପାଇବାକୁ ଚାହୁଛି ସେଠି ଭାରତର ଶତ୍ରୁ ଦେଶକୁ ବିନା ଫାଇଦାରେ ନା କେବେ ସାହାଯ୍ୟ କରିବ ନା ହ୍ବାଇଟହାଉସକୁ ନିମନ୍ତ୍ରଣ କରିବ ଆମେରିକା ।