କନକ ବ୍ୟୁରୋ: ବର୍ତ୍ତମାନ ଜୟସ୍ୱାଲ ମୁମ୍ବାଇ କ୍ରିକେଟ ଟିମ ଛାଡି ପୁନେରେ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ସେ ଏପରି ନିଷ୍ପତ୍ତି କାହିଁକି ନେଲେ ତାକୁ ନେଇ ସସପେନ୍ସ ଲାଗି ରହିଥିଲା । ଯେଉଁ ଟିମ ତାଙ୍କୁ ରାସ୍ତାରୁ ଉଠାଇ ପରିଚୟ ଦେଇଥିଲା ସେହି ଟିମର ହାତ ସେ କାହିଁକି ଛାଡିଲେ ତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ସତ । କାହିଁକି ଜୟସ୍ୱାଲ ଟିମ ଛାଡିବାକୁ ଚାହୁଁଛନ୍ତି ତାହା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ରଣଜୀ ଟ୍ରଫିରେ ଜାମ୍ମୁ କାଶ୍ମୀର ବିପକ୍ଷରେ ପରାଜୟ ପରେ ମୁମ୍ବାଇ କୋଚ୍ ଜୟସ୍ବାଲଙ୍କୁ ଟାର୍ଗେଟ କରିଥିଲେ ଏବଂ ଏହି ମ୍ୟାଚରେ ଜୟସ୍ବାଲ ସହଳ ଆଉଟ ହୋଇଥିଲେ । ଏହା ପରେ ଜୟସ୍ୱାଲ ମୁମ୍ବାଇ ପାଇଁ ଖେଳିଥିଲେ, କିନ୍ତୁ ଜାମ୍ମୁ କାଶ୍ମୀର ବିପକ୍ଷ ସେହି ମ୍ୟାଚରେ ସେ ପ୍ରଥମ ଇନିଂସରେ ମାତ୍ର ୪ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୨୬ ରନ୍ ସ୍କୋର କରିଥିଲେ । ମୁମ୍ବାଇ ଏହି ମ୍ୟାଚକୁ ୫ ୱିକେଟରେ ହାରିଥିଲା । ୨୦୨୨ ମସିହା ପଶ୍ଚିମ ଜୋନର ଅଧିନାୟକ ରାହାଣେ ଦକ୍ଷିଣ ଜୋନର ରବି ତେଜାଙ୍କ ସହ ଅତ୍ୟଧିକ ସ୍ଲେଜିଂ ପାଇଁ ଜୟସ୍ବାଲଙ୍କୁ ପଡ଼ିଆରୁ ବାହାର କରିଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଏହା ପରେ ପରେ ଜୟସ୍ବାଲ ଓ ରାହାଣେଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ପରିସ୍ଥିତି ଏପରି ଥିଲା ଯେ, ମ୍ୟାଚ ଚାଲୁଥିବା ସମୟରେ ଜୟସ୍ବାଲ ରାହାଣେଙ୍କ କିଟ ବ୍ୟାଗକୁ ଗୋଇଠା ମାରିଥିଲେ । ହୁଏତ ଜୟସ୍ବାଲ ପୃଥୀ ଶ'ଙ୍କ କାହାଣୀ ଭୁଲିଯାଉଛନ୍ତି । ଦିନେ ଯାହାକୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଉଥିଲା ଆଜିକା ଦିନରେ ସେ ମାଟି ହୋଇ ଘରେ ବସିଛନ୍ତି । କ୍ରିକେଟରେ ଅନୁଶାସନ, ଶୃଙ୍ଖଳା ରହିବା ଦରକାର, ଯେତେବଡ ହୁଅନା କାହିଁକି ବଡ ଖେଳାଳି ଫର୍ମ ଗୋଟେ ସମୟ ପର୍ଯ୍ୟନ୍ତ ତୁମ ସହ ରୁହେ, ଯାହା ଜୟସ୍ବାଲ ଭୁଲି ଯାଉଛନ୍ତି ।