କନକ ବ୍ୟୁରୋ :  ବିଶ୍ବସ୍ତରୀୟ ହସ୍ପିଟାଲ ପାଇଁ ପ୍ରସ୍ତୁତ ହେଉଥିବା ଏସସିବି ମେଡିକାଲର ବାସ୍ତବ ଚିତ୍ର । ହସ୍ପିଟାଲ ବେଡରେ ରୋଗୀ ଶୋଇଛନ୍ତି । ଆଉ ରୋଗୀଙ୍କ ପାଇଁ ଲାଗିଥିବା ସାଲାଇନ୍ ବୋତଲ ନିଜ ପାଇଁ ସାହାରା ଖୋଜୁଛି। ବେଡରେ ବାଡ ନଥିବାରୁ ସାଲାଇନ ବୋତଲ ସୂତାରେ ଝୁଲୁଛି। ସୂତା ଛିଡିଲେ ରୋଗୀର ଜୀବନ ପ୍ରତି ବିପଦ। ଏସସିବିର ସର୍ଜରୀ ୱାର୍ଡ ଭିତରେ ଦେଖିବାକୁ ମିଳିଛି  ଏଭଳି ଅବ୍ୟବସ୍ଥା। ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବଡମେଡିକାଲକୁ ବଡ ଆଶା ନେଇ ଆସୁଛୁ କିନ୍ତୁ ଏହା ଭିତରେ ଚିକିତ୍ସା ବଦଳରେ ଅସରନ୍ତି ସମସ୍ୟାର ସାମ୍ନା କରୁଛୁ ବୋଲି କହିଛନ୍ତି ରୋଗୀ। ଅନ୍ୟପଟେ ମେଡିକାଲ କର୍ତ୍ତୃପକ୍ଷ ଘଟଣାକୁ ମାନିଥିଲେ ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିନାହାନ୍ତି। ନିଜ ଦୋଷ ଖସାଇବାକୁ କହିଛନ୍ତି ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚାପ ବଢୁଛି।  
 
 ରାଜ୍ୟର ଅଧିକାଂଶ ରୋଗୀଙ୍କ ପାଇଁ ଭରସାର ନାଁ ଏସସିବି ମେଡିକାଲ। ଏହାକୁ ବିଶ୍ବସ୍ତରୀୟ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଏଠାରେ ସମସ୍ୟା ଯେପରି ମହାଦ୍ରୁମର ରୂପ ନେଲାଣି। ପ୍ରତି ବିଭାଗରେ ଅବ୍ୟବସ୍ଥା, ଆଡମିଶନ ଠାରୁ ଡିସଚାର୍ଜ ପର୍ଯ୍ୟନ୍ତ ସବୁବେଳେ ଧନ୍ଦି ହୁଅନ୍ତି ରୋଗୀ। ପ୍ରଶ୍ନ ଉଠିବା ସ୍ବାଭାବିକ, ଯେଉଁଠି ରୋଗୀଙ୍କ ପାଇଁ ସାଲାଇନ ଷ୍ଟାଣ୍ଡଟିଏ ନାହିଁ, ସେଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କାହା ପାଇଁ? ଏଭଳି ଭିତ୍ତିଭୂମି କଣ ଏସସିବିକୁ କରିବ ବିଶ୍ବସ୍ତରୀୟ? ସୂତାରେ ସାଲାଇନ ଝୁଲାଇବା କଣ ବିଶ୍ବସ୍ତରୀୟ ଚିକିତ୍ସାର ମାପଦଣ୍ଡ? ମାଗଣା ଚିକିତ୍ସା ପାଇଁ କୋଟି କୋଟି ଖର୍ଚ୍ଚ ହେଉଛି, କିନ୍ତୁ ଭିତ୍ତିଭୂମି ପାଇଁ କାହିଁକି ନୁହେଁ?