କନକ ବ୍ୟୁରୋ: ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରୁ ସିନ୍ଧୁକ ଓ ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ପରେ ମରାମତି ଓ ଗଣତି ମଣତି ନେଇ ଫିଟିଲା ବାଟ । ଅଗଷ୍ଟ ୩୦ ତାରିଖରେ ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ବସିବାକୁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହା ପୂର୍ବରୁ ଆଜି ବାହାର ରତ୍ନଭଣ୍ଡାରରୁ ୨ଟି ଆଲମିରା ଓ ଗୋଟିଏ ଲୁହା ସିନ୍ଧୁକ ଏବଂ ଭିତର ଭଣ୍ଡାରରୁ ୨ଟି କାଠ ଆଲମିରା ଓ ୩ଟି ଲୁହା ସିନ୍ଧୁକ ସ୍ଥାନାନ୍ତର ହୋଇଛି।

Advertisment

ଏ ସମସ୍ତ ସିନ୍ଦୁକ ଓ ଆଲମିରାକୁ ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟ ଗୃହକୁ ସ୍ଥାନାନ୍ତର କରାଯାଇଛି। ବାହାର ରତ୍ନଭଣ୍ଡାରରୁ ଲୁହା ସିନ୍ଦୁକ ବାହାରି ନପାରିବାରୁ କାଠ କବାଟକୁ କଟାଯାଇ ସିନ୍ଦୁକକୁ ବାହାରକୁ ଅଣାଯାଇଥିଲା। ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଭିତର ରତ୍ନଭଣ୍ଡାରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା ଯାଞ୍ଚ କରାଯାଇ ଏହାର ମରାମତି କରାଯିବ। ଏନେଇ ଏଏସଆଇ ଡିଜିଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ।

୩ ଘଣ୍ଟା ଧରି ଚାଲିଥିଲା ସ୍ଥାନାନ୍ତରଣ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟଙ୍କ ସହ ବୋମା ନିଷ୍କ୍ରିୟକାରୀ ଦଳ, ସ୍ନେକ ହେଲ୍ପଲାଇନ ସଦସ୍ୟ ଏବଂ ଓଡ୍ରାଫ୍ ଟିମ୍ ମଧ୍ୟ ରତ୍ନଭଣ୍ଡାରରେ ଉପସ୍ଥିତ ରହିଥିଲେ। ମହାପ୍ରଭୁଙ୍କ ରତ୍ନଭଣ୍ଡାର କାମ ପାଇଁ ଦର୍ଶନ ବନ୍ଦ ଥିବାରୁ ଏହାକୁ ଭକ୍ତ ଓ ସେବାୟତ ମାନେ ସ୍ୱାଗତ କରିଛନ୍ତି। ଖୁବଶୀଘ୍ର ସିନ୍ଧୁକ ଓ ଆଲମିରା ରହିଥିବା ନୀଳାଦ୍ରୀ ବିହାର ମ୍ୟୁଜିୟମକୁ ଭକ୍ତଙ୍କ ଉଦେଶ୍ୟରେ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସେବାୟତଙ୍କ ପକ୍ଷରୁ ଦାବି କରାଯାଇଛି। ସ୍ଥାନାନ୍ତରଣ ପାଇଁ ଦିନ ୧ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ଅପରାହ୍ନ ୫ଟାରେ ପୁର୍ନବାର ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଥିଲା।

ରତ୍ନଭଣ୍ଡାରୁ ସିନ୍ଧୁକ ଓ ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଗକୁ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇ ମରାମତି କରାଯିବ। ପରବର୍ତ୍ତୀ ସମୟରେ ବାହାର ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାରକୁ ରତ୍ନଅଳଙ୍କାର ନିଆଯିବା ସହ ଏହାର ଗଣତିମଣତି କରାଯିବ। ୩୦ତାରିଖରେ ବସିବାକୁ ଯାଉଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଉପରେ ଆଲୋଚନା ହୋଇପାରେ।