କନକ ବ୍ୟୁରୋ: ସୁନ୍ଦରଗଡ଼ରେ ମାଫିଆଙ୍କ କବଜାରେ ମୂଲ୍ୟବାନ ଜଙ୍ଗଲ । ଗୋଟିଏ କି ଦୁଇଟି ନୁହଁ ୫ ରୁ ୬ ଏକର ଜଙ୍ଗଲ କାଟି ପଦା କରି ଦେଇଛନ୍ତି ମାଫିଆ । କୁହାଯାଉଛି ମାଫିଆ କୋଇଲା ଚୋରି କରିବା ପାଇଁ ଏହିଭଳି ନୂଆ ଉପାୟ ଆପଣାଇଛନ୍ତି । ଖବର ପାଇବା ପରେ ଘଟଣାସ୍ଥଳରେ ବନବିଭାଗ ଓ ରାଜସ୍ୱ ବିଭାଗ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ । ହେଲେ କିଏ ଓ କାହିଁକି ଜଙ୍ଗଲ କାଟି ପଦା କରିଦେଲା ତାହା ଏବେ ଏକ ସବୁଠାରୁ ବଡ଼ ପ୍ରଶ୍ନ ।  

  ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ରତନସରା ରାଜସ୍ୱ ଜଙ୍ଗଲ । ଯେଉଁ ଜଙ୍ଗଲ ଠିକ୍ ତିନି ମାସ ତଳେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ଯେଉଁ ଜଙ୍ଗଲରୁ ଲକ୍ଷଲକ୍ଷ ଟନ୍ କୋଇଲା ଚୋରି ହୋଇଥିଲା ଏବେ ସେଇ ଜଙ୍ଗଲରୁ ଆସିଛି ବଡ଼ ଖବର । ଏବେ କୋଇଲା ନୁହେଁ ବରଂ ଜଙ୍ଗଲ ଚୋରି ହୋଇଛି । ପ୍ରାୟ ୫ ଏକର ଜଙ୍ଗଲ ଜମିରୁ ୧୫ଶହରୁ ଅଧିକ ମୂଲ୍ୟବାନ ଗଛ କାଟି ପଦା କରିଦେଇଛନ୍ତି ମାଫିଆ। ଲମ୍ବାଲମ୍ବା ହୋଇ ପଡିଛି କଟାଗଛ । କେଉଁ ଗଛ ୧୦ରୁ ୧୨ ବର୍ଷର ତ ଆଉ କେଉଁ ଗଛ ୫୦ରୁ ୧୦୦ ବର୍ଷ ହେବ । ରତନସରାର ଘଞ୍ଚ ଜଙ୍ଗଲ ଭିତରେ ଏଭଳି କାମ କିଏ କଲା? ମୂଲ୍ୟବାନ ଗଛଗୁଡ଼ିକୁ କିଏ କାଟି ପକାଇଲା? ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚୁଥିବା ସ୍ଥାନୀୟ ବାସିନ୍ଦା ଏମିତି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି। 

Advertisment

ଜଙ୍ଗଲରେ ଗଛକଟା ଘଟଣା ଜାଣିବା ପରେ ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗକୁ ଖବର ଦେଇଛନ୍ତି ଗ୍ରାମବାସୀ । ଉଭୟ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରକୃତରେ କେତେ ଗଛ କଟା ଯାଇଛି? ତା'ର ହିସାବ କରୁଛି ବନ ବିଭାଗ । କେତେ ଜମି ଓ ଜମିର କିସମ କ'ଣ? ତାହାର ଖୋଳତାଡ଼ କରୁଛି ରାଜସ୍ୱ ବିଭାଗ ।  ସେପଟେ ସ୍ଥାନୀୟ ବୁଦ୍ଧିଜୀବୀ ସିଧାସଳଖ ପ୍ରଶ୍ନ କରୁଛନ୍ତି । ଏତେଗଛ କଟା ଗଲା ବନ ବିଭାଗ ଜାଣି ପାରିଲା ନାହିଁ କେମିତି? ମାଫିଆ ଜଙ୍ଗଲ ପଦା କରୁଥିବା ସମୟରେ କ'ଣ କରୁଥିଲେ ବିଭାଗୀୟ ବାବୁମାନେ?