କନକ ବ୍ୟୁରୋ : ଅନେକ ଆଶା ଆକାଂକ୍ଷା ନେଇ ମାଣ୍ଡିଆ, କୋଦୋ ଓ ବାଜରା ଚାଷ କରିଥିଲା ଚାଷୀ । ଉଦ୍ଦେଶ୍ୟ ଭଲ ଦୁଇ ପଇସା ରୋଜଗାର ହେଲେ ପରିବାର ଚଳିବ । ହେଲେ ଅଦିନିଆ ଲଘୁଚାପ ବର୍ଷା ସବୁ ସାରିଦେଇଛି । ଅମଳ ପୂର୍ବରୁ ନଷ୍ଟ ହୋଇଯାଇଛି ଏକର ଏକର ମିଲେଟ୍ ଚାଷ । ଫୁଲ ଧରିଥିବା ମାଣ୍ଡିଆ କଳା ପଡ଼ିଯାଇଛି । ଉଜୁଡ଼ା କ୍ଷେତକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଚାଷୀ ।
ଶ୍ରୀ ଅନ୍ନ ଯୋଜନାରେ ବ୍ଲକର ଅନେକ ଗାଁର ଚାଷୀ ଚଳିତ ବର୍ଷ ମାଣ୍ଡିଆ, କୋଦୋ, ବାଜରା ଭଳି ଚାଷ କରିଥିଲେ । ଅମଳ ହୋଇ ସରକାରୀ ଦରରେ ବିକ୍ରି କରିଥିଲେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇଥାନ୍ତା । ହେଲେ ଏବେ ସରକାର ମଣ୍ଡିରେ ଏସବୁ ନଷ୍ଟ ଫସଲକୁ ଗ୍ରହଣ କରିବେ ନାହିଁ । ଯାହା ଚାଷୀର ଚିନ୍ତାକୁ ଦ୍ବିଗୁଣିତ କରିଛି । ଅନ୍ୟପଟେ ବ୍ଲକ କୃଷି କାର୍ଯ୍ୟାଳୟରେ ଅଭିଯୋଗ ଆସିଲା ପରେ ତଦନ୍ତ କରି କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଅଧିକାରୀ ।
ଧାନ ଚାଷ ପରେ ସରକାର ମିଲେଟ୍ ଜାତୀୟ ଫସଲକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ହେଲେ ଏବେ ଫସଲ ନଷ୍ଟ ହେବା ପରେ ସରକାରଙ୍କ କ୍ଷତିପୂରଣକୁ ଅପେକ୍ଷା କରିଛି ଚାଷୀ ।