କନକ ବ୍ୟୁରୋ : ବିବାଦୀୟ ବୈକୁଣ୍ଠ ଧାମରେ ବୁଲିପାରେ ବୁଲଡୋଜର । ଖୁବ ଶୀଘ୍ର ମାଟିରେ ମିଶିପାରେ ବୈକୁଣ୍ଠ ଧାମ ଆଶ୍ରମ । ସରକାରୀ ଜମିରେ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ ନିର୍ମାଣ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଏକଥା ସ୍ପଷ୍ଟ ହୋଇଛି । ଆତ୍ମଘୋଷିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ନିର୍ମାଣ ହୋଇଥିବା ଜାଣିବାକୁ ପାଇଛି ସାଧାରଣ ପ୍ରସାଶନ ବିଭାଗ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଜି ସକାଳେ ଆଶ୍ରମ ଓ ଏହାର ଚାରି ପାଖ ଅଞ୍ଚଳରେ ହୋଇଥିଲା ମାପଚୂପ ।
ଜିଏ, ବିଡିଏ ଓ ତହସିଲର ଅଧିକାରୀମାନେ କରିଥିଲେ ମାପଚୂପ। ନକ୍ସାକୁ ଆଧାର କରି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ସରକାରୀ ଅଧିକାରୀ । ତେବେ ତର୍ଜମା ପରେ ଜଣାପଡିଛି ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମି ଉପରେ ନିର୍ମାଣ ହୋଇଛି । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଜିଏ ବିଭାଗର ବରିଷ୍ଠ ଅଧିକାରୀ । ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ତେବେ ଖୁବ ଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି । ଜବରଦଖଲ ଉଚ୍ଛେଦ ପାଇଁ କାଲିଠାରୁ ଆରମ୍ଭ ପ୍ରକ୍ରିୟା ହୋଇଯିବ ବୋଲି କହିଛନ୍ତି । ଭୁବନେଶ୍ବରର ଖଣ୍ଡଗିରି ବାରି ୧୬-୧୭ ବର୍ଷରୁ ଅଧିକ ସମୟ ହୋଇଯିବ ସରକାରୀ ଜମିକୁ ଜବର ଦଖଲ କରି ଆଶ୍ରମ ନିର୍ମାଣ କରାଯାଇଥିଲା ।
ଦିନକୁ ଦିନ ବୈକୁଣ୍ଠଧାମ ଆଶ୍ରମକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜଣେ ମହିଳା ଅଭିଯୋଗ କରିଛନ୍ତି, ବାବା କାଶୀନାଥଙ୍କ ପୁଅ କଳକୀ ବେଶରେ ଦେଉଥିଲେ ସ୍ପର୍ଶ ଚିକିତ୍ସା। ହାତରେ ଧନୁତୀର ଧରି ପିଢ଼ାରେ ବସୁଥିଲେ। ପାଦ ତଳେ ରହୁଥିଲା ତୁଳସୀ। ଆଉ ଦେହରେ ହାତ ମାରି ଦୁରାରୋଗ୍ୟ ଭଲ କରିଦେବାକୁ ଦାବି କରୁଥିଲେ । ସେପଟେ ଅଭିଯୋଗ ପରେ ବାବାଙ୍କ ଆଶ୍ରମ ସରକାରୀ ଜମିରେ ହୋଇଥିବା ସନ୍ଦେହରେ ଚାଲି ମାପଚୁପ।
ବାପଙ୍କଠୁ ବଳି ପୁଅ । ଆମେ କହୁଛୁ ବାବା ବିଶ୍ୱନାଥ ଓ ତାଙ୍କ ପୁଅ କଳ୍କୀଙ୍କ କଥା। ବାବା ବିଶ୍ୱନାଥ ପ୍ରବଚନ ଦେଇ ଲୋକଙ୍କୁ ଆକୃଷ୍ଟ କରୁଥିଲେ ଆଉ ପୁଅ କଳ୍କୀ ଅବତାର ସାଜି କରୁଥିଲେ ସ୍ପର୍ଶ ଚିକିତ୍ସା। ଏହି କଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ କନକ ନ୍ୟୁଜର କ୍ୟାମେରା ଆଗରେ ଆଶ୍ରମର ଭିତିରି କଥା କହିଛନ୍ତି ଜଣେ ଯୁବତୀ । ପାଦରେ କଠଉ, ହାତରେ ଧନୁଶର ଧରି ପିଢାରେ ବସି କରୁଥିଲେ ସ୍ପର୍ଶ ଚିକିତ୍ସା । ଦେହରେ ହାତମାରି ଅନେକ ଦୁରାରୋଗ୍ୟକୁ ଭଲ କରିଦେବାର ଦାବି କରୁଥିଲେ । ଆଉ ଏଥିପାଇଁ ନେଉଥିଲେ ମୋଟା ଅଙ୍କର ଟଙ୍କା।
କେବଳ ଏହି ଆଶ୍ରମରେ ନୁହଁ ଆତ୍ମଘୋଷିତ କଳ୍କୀ ଜଣକ ସ୍କୁଲରେ ବି ଦେଖାଉଥିଲେ ବାବାଗିରି। ଏହି ଆତ୍ମଘୋଷିତ କଳକୀ ଅୟସ ଓ ଆରାମରେ ସ୍କୁଲ ଯାଉଥିବା କଥା ସାମ୍ନାକୁ ଆସୁଛି । ସିଏ ଯାଉଥିବା ସ୍କୁଲ ବସରେ ଅନ୍ୟ ଛାତ୍ରଛାତ୍ରୀ ସାଧାରଣ ଭାବେ ବସୁଥିବା ବେଳେ, ବାବା କାଶୀନାଥଙ୍କ ପୁଅ ପାଇଁ ସ୍ୱତନ୍ତ୍ର ସିଟର ବ୍ୟବସ୍ଥା ହେଉଥିଲା । ସିଟରେ ପଡୁଥିଲା ନାଲି ରଙ୍ଗର ଭେଲଭେଟ ଚାଦର । ଏଭଳି ଗୁମର ଖୋଲିଛନ୍ତି ତାଙ୍କୁ ପାଠ ପଢ଼ାଉଥିବା ଜଣେ ଗଣିତ ଶିକ୍ଷକ ।
ବିବାଦୀୟ ବାବା କାଶୀନାଥଙ୍କୁ ନେଇ ବିବାଦ ବଢିବା ପରେ, ଆଜି ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମରେ ପହଞ୍ଚି ଜମି ମାପଚୁପ ଆରମ୍ଭ କରିଛି ପ୍ରଶାସନ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଏ, ବିଡିଏ ଓ ତହସିଲ ର ଅଧିକାରୀ ଆଶ୍ରମରେ ପହଞ୍ଚି ମାପଚୁପ କରିଛନ୍ତି । ଆଶ୍ରମ ଜମି ସରକାରୀ କି ବେସରକାରୀ ତାହାର ତର୍ଜମା କରାଯାଉଛି । ଏହି ପ୍ଲଟ ସରକାରୀ ପ୍ଲଟ ହୋଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ସରକାରୀ ପ୍ଲଟରେ ଆଶ୍ରମ ନିର୍ମାଣ ହୋଇଥିଲେ ଉଚ୍ଛେଦ ହେବ ବୋଲି ଜିଲ୍ଲା ପ୍ରଶାସନ କହିଛି ।