କନକ ବ୍ୟୁରୋ : ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି ଅର୍ଦ୍ଧ ନିର୍ମିତ  କଲ୍ୟାଣପଣ୍ଡପ । ୭ ବର୍ଷ ହେବ କାମ ଆଗେଇ ପାରୁନି । ଯେତିକି କାମ ହୋଇଛି ସେ ବି ନଷ୍ଟ ହେବାରେ ଲାଗିଛି । ସତେ ଯେମିତି ପ୍ରକଳ୍ପ କାମ ଆରମ୍ଭ କରି ଭୁଲିଯାଇଛି ପ୍ରଶାସନ । କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତ କୁଳାପଡ଼ା ଗାଁର ବିଲନାହାକାଣୀ ପୀଠରେ ୨୦୧୮ରେ ଆରମ୍ଭ ହୋଇଥିଲା କଲ୍ୟାଣ ମଣ୍ଡପ ନିର୍ମାଣ । ଉଦ୍ଦେଶ୍ୟ ଥିଲା ବିବାହ ବ୍ରତ ଆୟୋଜନ କରିବା ସହ ଲୋକ ବସାଉଠା କରିବେ । ହେଲେ ଅବସ୍ଥା ଉପରେ ବହୁତ ଖରାପ । ଦୀର୍ଘ ୭ ବର୍ଷ ହେଲାଣି ଡିପିସି ଲେବଲ୍‌ ଠୁ କାମ ଆଗେଇ ପାରୁନି । ଏଥିପାଇଁ ଖର୍ଚ୍ଚ ହୋଇଛି ୧୦ ଲକ୍ଷ ଟଙ୍କା । ଦୀର୍ଘ ଦିନ ଧରି ପଡ଼ି ରହି ପିଲାରରେ ବ୍ୟବହୃତ ରଡ୍‌ ସବୁ କଳଙ୍କି ଲାଗିଲାଣି , ଡିପିସି କାନ୍ଥ ବି ଫାଟିଗଲାଣି । ବଣ ବୁଦାରେ ଭର୍ତ୍ତି ହୋଇ ସ୍ଥାନଟି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ।   

Advertisment

ମାର୍ଶାଘାଈ ବ୍ଲକର ଅନେକ ପଞ୍ଚାୟତରେ ୨୦୧୮ରେ କଲ୍ୟାଣ ମଣ୍ଡପର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ସବୁଠି କାମ ଅଧପନ୍ତରିଆ । ବିଡିଓ କହୁଛନ୍ତି, ଯେତିକି ଅନୁଦାନ ଆସିଲା କାମ ହେଲା, ଆଉ ଟଙ୍କା ଆସିଲେ ହେବ । ୭ ବର୍ଷ ଧରି ପ୍ରକଳ୍ପ କାମ ଅଧାରେ ପଡ଼ିରହିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତୁରନ୍ତ କାର୍ଯ୍ୟ ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।