କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ । ବାଲିଯାତ୍ରାରେ ଦୋକାନ ନିଲାମୀ ପ୍ରସଙ୍ଗ ଉଠାଇଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ତାଙ୍କ କହିବା ମୁତାବକ, ବାଲିଯାତ୍ରାରେ ଦୋକାନ ନିଲାମୀ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଇ, ପୁରୁଣା ପ୍ରକ୍ରିୟାରେ ଦୋକାନ କରିବା ପାଇଁ, ସୁଲଭ ମୂଲ୍ୟରେ ଦୋକାନ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ସୋଫିଆ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ସ୍କୋୟାର ଫିଟ୍ ପିଛା ୨୦ରୁ ୨୫ ଟଙ୍କା ଦିଆଯାଉଥିବାବେଳେ ଏବେ ସ୍କୋୟାର ଫିଟ ପିଛା ୮୦୦ ଟଙ୍କା ନିଆଯାଉଛି । ଯାହା ଫଳରେ ଗରିବ ବ୍ୟବସାୟୀ, ଏସଏଚଜି ମହିଳା ଗୋଷ୍ଠୀମାନେ ଷ୍ଟଲ ଖୋଲିବାରୁ ବଞ୍ଚିତ ହେଉଛନ୍ତି । ଖାଲି ତା ନୁହେଁ, ଏହାଫଳରେ ସେମାନେ ପାରାଦ୍ୱୀପ ଏବଂ ଭୁବନେଶ୍ୱର ଚାଲି ଯାଉଛନ୍ତି । ବାଲିଯାତ୍ରାରେ ଦୋକାନ ଖୋଲିଲେ, ସେମାନେ ବର୍ଷକ ପାଇଁ ରୋଜଗାର କରିଥାନ୍ତି ବୋଲି କହିଛନ୍ତି ସୋଫିଆ ଫିର୍ଦ୍ଦୋସ । 

ଏହାସହିତ ସୋଫିଆ ବାଲିଯାତ୍ରା ପଡିଆକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । କର୍ପୋରେଟ ସଂସ୍ଥା କିଭଳି ବାଲିଯାତ୍ରାରେ ଦୋକାନ ଖୋଲିବେ ସେନେଇ ବ୍ୟବସ୍ଥା କରାଯାଉ । ଦେଶ ବିଦେଶରୁ ବାଲିଯାତ୍ରାକୁ ଆସୁ ନାହାନ୍ତି, କିଭଳି ଦେଶ ବିଦେଶର ବଡ ବଡ଼ କମ୍ପାନୀ ବାଲିଯାତ୍ରାକୁ ଆସିବେ ସେ ନେଇ ବ୍ୟବସ୍ଥା କରାଯାଉ । ରାଜ୍ୟ ସରକାର ଅନ୍ତର୍ଜାତୀୟ ମାନ୍ୟତା ପାଇଁ ପଦକ୍ଷେପ ନିଅନ୍ତୁ । କ୍ୟାବିନେଟ ନିଷ୍ପତି ଅନୁସାରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ସୋଫିଆ ଫିର୍ଦ୍ଦୋସ ।