କନକ ବ୍ୟୁରୋ: ଏଣିକି ବିଳମ୍ବିତ ହେବନି ବନ୍ୟପ୍ରାଣୀ ମାମଲାର ବିଚାର । ନ୍ୟାୟ ପାଇଁ ବର୍ଷ ବର୍ଷ ଧରି ନାଲି ଫିତା ତଳେ ଆଉ ପଡି ରହିବନି ମାମଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ୟପ୍ରାଣୀ ମାମଲାର ଶୁଣାଣି ପାଇଁ ଏବେ ରାଜ୍ୟର ୩୦ ଜିଲ୍ଲାରେ ଖୋଲିବ ୩୦ ସ୍ବତନ୍ତ୍ର ବନ୍ୟପ୍ରାଣୀ କୋର୍ଟ । ୨୦୨୨ରେ ପୋଲିସ ଡିଜି ଦେଇଥିବା ସତ୍ୟପାଠ ଆଧାରରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯାହାକୁ ନେଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ହେବାକୁ ଥିବା ବନ୍ୟପ୍ରାଣୀ କୋର୍ଟ, ଆଗାମୀ ଦିନରେ ଯୁଗାନ୍ତକାରୀ ସାଜିବ।

Advertisment

ଓଡ଼ିଶାରେ ଦିନକୁ ଦିନ ବଢି ଚାଲିଛି ବନ୍ୟପ୍ରାଣୀ ଶିକାର। ଜଙ୍ଗଲରୁ ଜନ୍ତୁ ଖାଲି କରି ଦେଉଛନ୍ତି ଶିକାରୀ । ଅନେକ ସମୟରେ ଶିକାରୀଙ୍କୁ ଗିରଫ କରଯାଉଛି ସତ କିନ୍ତୁ ସେଭଳି ଆଖିଦୃଶିଆ ଦଣ୍ଡବିଧାନ ହୋଇପାରୁନି ।

ଖସିଯାଉଛନ୍ତି ଶିକାରୀ

  • ୫ ବର୍ଷରେ ୫୦୦ରୁ ଅଧିକ ବନ୍ୟପ୍ରାଣୀ ମାମଲା ବିଚାରଧୀନ
  • ୩ ବର୍ଷରେ ମାତ୍ର ୩୦୦ ଶିକାରୀ ଗିରଫ ହୋଇଛନ୍ତି
  • ଅନ୍ୟ କୋର୍ଟରେ ମାମଲାର ଅତ୍ୟଧିକ ବୋଝ ପାଇଁ ବନ୍ୟପ୍ରାଣୀ ମାମଲାର ହୋଇପାରୁନି ତ୍ବରିତ୍ବ ବିଚାର
  • ବନ୍ୟପ୍ରାଣୀ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ୫ ପ୍ରତିଶତରୁ କମ

ନ୍ୟାୟ ପାଇଁ ମଣିଷ ତଳକୋର୍ଟରୁ ସବୋର୍ଚ୍ଚ ଅଦାଲତ ପର୍ଯ୍ୟନ୍ତ ଯାଇପାରୁଛି। କିନ୍ତୁ ନୀରିହ ପଶୁଙ୍କୁ ନ୍ୟାୟ ଦେବାକୁ କୋର୍ଟ ପାଖରେ ରହୁଥିଲା ସମୟର ଅଭାବ। ଯାହାର ଫାଇଦା ନେଇ ପଶୁ ମାରି ସହଜରେ ଖସି ଯାଉଥିଲେ ଶିକାରୀ । କିନ୍ତୁ ଏବେ ବନ୍ୟଜନ୍ତୁ କୋର୍ଟ କରିବ ଏମାନଙ୍କର ଫଇସଲା ।  ତେବେ ବନ୍ୟପ୍ରାଣୀ କୋର୍ଟ ନିର୍ମାଣ ଆଗାମୀ ଦିନରେ ପଶୁପକ୍ଷୀଙ୍କ ପାଇଁ ସାଜିବ ସୁରକ୍ଷାକବଚ। ଏହାଦ୍ବାରା ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଆହୁରି ଅଧିକ ସୁନିଶ୍ଚିତ କରାଯାଇପାରିବ ।