କନକ ବ୍ୟୁରୋ: କେନ୍ଦୁଝର ଜେଲ ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁ, ପୂର୍ବରୁ ଝାରପଡ଼ା ଜେଲ ଦାୟିତ୍ବରେ ଥିବାବେଳେ ଆସିଥିଲା ସାଙ୍ଘାତିକ ଅଭିଯୋଗ। ଜେଲ୍‌ ଅନ୍ତେବାସୀଙ୍କଠାରୁ ଟଙ୍କା ଆଦାୟ କରୁଥିବା ନେଇ ଅଭିଯୋଗ କରିଥିଲେ ଜଣେ କଏଦୀ ଲକ୍ଷ୍ମଣ ଶ୍ରୀନିବାସନ୍‌। ୨୦୨୩ରେ ସେ ଏନେଇ ଭିଜିଲାନ୍ସ ଡିଜି ଯଶବନ୍ତ ଜେଠୱାଙ୍କୁ ଚିଠି ଲେଖିଥିଲେ। ଝାରପଡ଼ା ସ୍ୱତନ୍ତ୍ର କାରାଗାରର ତତ୍କାଳୀନ ଫାର୍ମାସିଷ୍ଟ ଶିବସ୍ନାତ ସାମନ୍ତରାୟ ଓ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ବିରୋଧରେ ଏହି ଚିଠି ଲେଖିଥିଲେ ଲକ୍ଷ୍ମଣ। ୨୦୨୨ରେ ଏକ ମାମଲାରେ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଥିଲେ ଲକ୍ଷ୍ମଣ ଶ୍ରୀନିବାସନ୍‌। ପ୍ରାୟ ବର୍ଷେ ଧରି ସେ ଝାରପଡ଼ା ଜେଲରେ ରହିଥିଲେ। ସେ ଡାଇବେଟିସ ଓ ବ୍ଲଡପ୍ରେସର ରୋଗରେ ଆକ୍ରାନ୍ତ ଥିଲେ।

ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେଲ ହସ୍ପିଟାଲରେ ଅଧିକ ଚିକିତ୍ସା ଆବଶ୍ୟକ ଥିଲା। ହେଲେ ଏହି ସୁବିଧା ପାଇଁ ଜେଲ ଫାର୍ମାସାଷ୍ଟ ତାଙ୍କଠାରୁ ମାସିକିଆ ଚାନ୍ଦା ଦାବି କରିଥିଲେ ବୋଲି ଲକ୍ଷ୍ମଣ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଏପରିକି ଟଙ୍କା ନଦେଲେ ତାଙ୍କୁ ଲକଅପ୍‌ରେ ବନ୍ଦ କରିଦେବାକୁ ଧମକ ଦେଇଥିଲେ ବୋଲି ମଧ୍ୟ ଅଭିଯୋଗ କରିଥିଲେ। ସବୁ ନିର୍ଯାତନା ଓ ଦୁର୍ନୀତି ପଛରେ ଜେଲ ସୁପରିଟେଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ ହିଁ ମାଷ୍ଟରମାଇଣ୍ଡ ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କରି ନିର୍ଦ୍ଦେଶରେ ଜେଲ ୱାର୍ଡର ନିର୍ଯାତନା ଦେଉଥିଲେ। ତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ହେଲା, କିନ୍ତୁ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଉପରିସ୍ଥ ଅଧିକାରୀ କିଛି କାର୍ଯାନୁଷ୍ଠାନ ଗ୍ରହଣ କଲେନାହିଁ ବୋଲି ଜେଲରୁ ମୁକୁଳିବା ପରେ ଭିଜିଲାନ୍ସ ଡିଜି ଯଶବନ୍ତ ଜେଠୱାଙ୍କୁ ଲେଖି ଜଣାଇଥିଲେ ଲକ୍ଷ୍ମଣ ଶ୍ରୀନିବାସନ୍‌।  

ତେବେ ଜେଲ ଅଧିକ୍ଷକଙ୍କ ଥିଲା ବିଦେଶୀ ମଦ ସଉକ। ଘର ଭିତରୁ ମିଳିଲା ଚାରୋଟି ବିଦେଶୀ ମଦ ବୋଦତ । ବୋତଲ ଗୋଟାକ ଦାମ୍ ମାତ୍ର ୨୫ ହଜାର ଟଙ୍କା। ବାବୁ ପିଉଥିଲେ ୨୫ ହଜାର ଟଙ୍କାର ଦାମୀ ମଦ। ଘରୁ ମିଳିଲା ଲକ୍ଷାଧିକ ଟଙ୍କାର ମଦ ବୋତଲ। । ଜେଲରେ କଏଦୀଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦେବା ପାଇଁ ଲକ୍ଷାଧିକ ଟଙ୍କା ନେବା ଓ ଜେଲ ଭିତରେ ଅନ୍ତେବାସୀଙ୍କୁ ନିଶା ଚାଲାଣ ଭଳି ସାଙ୍ଘାତିକ ଅଭିଯୋଗ ପାଇବା ପରେ ଝାରପଡା ଜେଲର ପୂର୍ବତନ ସୁପାରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁଙ୍କ ଘର ଓ ପ୍ଲଟ୍‌ ଦେଖି ବୋକା ବନିଛି ଭିଜିଲାନ୍ସ।

ଦେଢ଼କୋଟି ମୁଲ୍ୟର ଝାରପଡା ଘର ରହିଛି । ଭୁବନେଶ୍ୱର, ବଲାଙ୍ଗୀର, ଢେଙ୍କାନାଳ ରେ ରହିଛି କୋଟି କୋଟି ଟଙ୍କାର ୪ ଟି ପ୍ଲଟ। ଘରୁ ମିଳିଛି ପୁଳା ପୁଳା ସୁନା ଓ ଦାମୀ ଜିନିଷ । ୨୦୦୧ ମସିହାରେ ଆସିଷ୍ଟାଣ୍ଟ ଜେଲର ଭାବେ କାମ ଆରମ୍ଭ କରିଥିବା ସତ୍ୟପ୍ରକାଶ ୨୦୦୮ ମସିହାରେ ଜେଲର ଭାବେ ପଦୋନ୍ନତି ପାଇ କଣ୍ଟାବାଞ୍ଜି ଜେଲରେ କାମ କରୁଥିଲେ । ୨୦୨୦ ରେ ସେ ସୁପରିଟେଣ୍ଡେଣ୍ଟ ଭାବେ ପଦୋନ୍ନତି ପାଇଥିଲେ । କିନ୍ତୁ ଝାରପଡା ଜେଲରେ ଥିବା ସମୟରେ ତାଙ୍କ ବିରୋଧରେ ଚିଟଫଣ୍ଡ ଠକଙ୍କୁ ଅନୁକମ୍ପା ଦେଖାଇବା, ଜେଲରେ ଥିବାଅପରାଧୀ ଙ୍କ ପାଖୁ ନିଶା ପଠାଇବା ଆଦି କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଭିଯୋଗ ହେବା ସହ ବାବୁଙ୍କ ବିରୋଧରେ ପଡିଥିଲା ପୁଳା ପୁଳା ପିଟିସନ ।