କନକ ବ୍ୟୁରୋ: ମୋଦୀ ସରକାରରେ ଓଡ଼ିଆଙ୍କ ଦବଦବା । ରାଜନେତାଙ୍କ ଠାରୁ ଆରମ୍ଭ କରି ପିଏମଓ ଅଫିସ୍ ଯାଏଁ ଦେଶର ଉଚ୍ଚ ପଦପଦବୀରେ ଦେଖିବାକୁ ମିଳୁଛି ଓଡ଼ିଆଙ୍କ ଦବଦବା । ଗତ କିଛି ବର୍ଷ ମଧ୍ୟରେ ପାୱାରଫୁଲ ତାଲିକାରେ ନୂଆ ନୂଆ ନାଁ ଯୋଡି ହୋଇ ଚାଲିଛି । ଆଉ ଯେତେବେଳେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ ଅଫିସର ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି, ସେତେବେଳେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତୁ ଜାଣିବା ସେହି ଓଡ଼ିଆ ବ୍ୟକ୍ତି ବିଶେଷଙ୍କ ଉପରେ ଯେଉଁମାନେ ମୋଦୀ ସରକାରରେ ଅଧିକ ଚର୍ଚ୍ଚାରେ ରହିବା ସହ ଟପ୍ ପୋଷ୍ଟରେ ରହିଛନ୍ତି ।

Advertisment

ଶକ୍ତିକାନ୍ତ ଦାସ : ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଦେଶର ରାଜକୋଷ ଦାୟିତ୍ୱ ତୁଲାଇ ସାରିଥିବା ଏହି ଓଡ଼ିଆ ପୁଅଙ୍କୁ ପୁଣି ଭରସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୦୧୮ରେ ଉର୍ଜିତ ପଟେଲ ଆରବିଆଇର ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ଓଡ଼ିଆ ପୁଅ ଶକ୍ତିକାନ୍ତଙ୍କୁ ଏହି ଗୁରୁଦାୟିତ୍ୱ ଦେଇଥିଲେ ମୋଦୀ ସରକାର । ସେତେବେଳେ ଶକ୍ତିକାନ୍ତଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା ହୋଇଥିଲା । ୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡରର ଆଇଏଏସ ଶକ୍ତିକାନ୍ତ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇବା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି ।

ପି.କେ ମିଶ୍ର : ୧୯୭୨ ଗୁଜରାଟ କ୍ୟାଡର ଆଇଏଏସ ଅଫିସର ପ୍ରମୋଦ କୁମାର ମିଶ୍ର । ସମ୍ବଲପୁରରେ ଜନ୍ମିତ ପ୍ରମୋଦ ଏବେ ଦିଲ୍ଲୀ ଦରବାରରେ ସବୁଠୁ ଚର୍ଚ୍ଚିତ ଚେହେରା । ୨୦୧୯ ସେପ୍ଟେମ୍ବରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠୁ ବିଶ୍ୱସ୍ତ ତଥା ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ପି.କେ ମିଶ୍ର । ପୂର୍ବରୁ ମୋଦି ସରକାରର ପ୍ରଥମ ପାଳିରେ ପିଏମଓରେ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ ପି.କେ । ଏହାଛଡା ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ  କରିଛନ୍ତି ପି.କେ ମିଶ୍ର ।

ଧର୍ମେନ୍ଦ୍ର ପ୍ରଧାନ : କେବଳ ପ୍ରଶାସନିକ ସ୍ତରରେ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବଢିଛି ଓଡ଼ିଆଙ୍କ ଦବଦବା । ମୋଦୀ ସରକାରର ଉଭୟ ପାଳିରେ ସବୁଠୁ ଚର୍ଚ୍ଚିତ ଚେହେରା ସାଜି ଉଭା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ଗୁଡବୁକରେ ରହି ଆସିଥିବା ଧର୍ମେନ୍ଦ୍ରଙ୍କୁ ପ୍ରଥମ ପାଳିରେ ମିଳିଥିଲା ପେଟ୍ରୋଲିୟମ ବିଭାଗ ଭଳି ବଡ ଦାୟିତ୍ୱ । ଆଉ ଦ୍ୱିତୀୟ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସହ ମିଳିଥିଲା ଇସ୍ପାତ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏବେ ତୃତୀୟ ପାଳିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ଧର୍ମେନ୍ଦ୍ର, ଏହାଛଡା ଅନେକ ସମୟରେ ଦଳର କ୍ରାଇସିସ ମ୍ୟାନେଜର ଭୂମିକାରେ ନଜର ଆସିଥିବା ଧର୍ମେନ୍ଦ୍ରଙ୍କର ଏବେ ପାୱାର କରିଡରରେ କାଟତି ବଢିବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବନି ।

ଜୁଏଲ ଓରାମ: ସୁନ୍ଦରଗଡ଼ ସାଂସଦ ତଥା ମୋଦୀ ସରକାରଙ୍କ ହ୍ୟାଟ୍ରିକ୍ ପାଳିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ଆଉ ଜଣେ ଓଡ଼ିଆ ପୁଅ ଜୁଏଲ ଓରାମ । ୨୦୧୪, ୨୦୧୯ ଏବଂ ୨୦୨୪ରେ ଲଗାତାର ତୃତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇ ମୋଦୀଙ୍କ ଗୁଡ୍ ବୁକରେ ରହିଛନ୍ତି ଜୁଏଲ । ଆଉ ଫଳ ସ୍ୱରୂପ ଏଥର ତାଙ୍କୁ କେନ୍ଦ୍ର କ୍ୟାବିନେଟ୍ ପାହ୍ୟା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ମୃତ୍ୟୁଞ୍ଜୟ ମହାପାତ୍ର : ସାଇକ୍ଲୋନ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବେ ଦେଶର ପ୍ରତିଟି ଘରେ ଜଣାଶୁଣା ଓଡ଼ିଆ ପୁଅ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଯାହାଙ୍କୁ ଆଇଏମଡି ବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ମୋଦି ସରକାର । ପାଣିପାଗ ଓ ବାତ୍ୟାର ସଠିକ ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ମୃତ୍ୟୁଞ୍ଜୟ । ଏହାଛଡା ମୃତ୍ୟୁଞ୍ଜୟଙ୍କ ସଠିକ ଆକଳନ ପାଇଁ ଅମ୍ଫାନ, ଫୋନି, ଫାଇଲିନ, ହୁଡହୁଡ, ତିତଲି, ବିପର୍ଯ୍ୟୟ, ରେମାଲ, ଅସ୍ନା ଓ ଦାନା ଭଳି ବଡ ବିପର୍ଯ୍ୟୟର ସଫଳ ମୁକାବିଲା କରି ପାରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।