କନକ ବ୍ୟୁରୋ : ଭୁବନେଶ୍ବର ଜନତା ମୈଦାନରେ ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ମୋଦି । ଏଥିସହ ଓଡ଼ିଶାର ଗୌରବମୟ ଐତିହ୍ୟ ସମ୍ପର୍କରେ ଅତିଥିଙ୍କୁ ଜଣାଇଛନ୍ତି । ଖଣ୍ଡଗିର, ଉଦୟଗିରି, କୋଣାର୍କ ସମେତ ବାଳିଯାତ୍ରା କଥା ଉଲ୍ଲେଖକରିଛନ୍ତି । ଭାରତର ବିକାଶ କଥା କହିବା ସହ ପ୍ରବାସୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । କହିଛନ୍ତି ଭାରତୀୟ ଯେଉଁଠାକୁ ବି ଗଲେ ସେଠାକାର ପରମ୍ପରାକୁ ସମ୍ମାନ ଦେଇଥାନ୍ତି । ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତର ସ୍ପନ୍ଦନ ଥିବା କହିଛନ୍ତି ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବା ସହ ପ୍ରବାସୀ ଭାରତୀୟ ଏକଜିବିସନ ବୁଲି ଦେଖିଛନ୍ତି।
ସାରା ବିଶ୍ବରେ ଏବେ ଯୁଦ୍ଧ ଘନଘଟା ଲାଗି ରହିଥିବା ବେଳେ ଶାନ୍ତିର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଭୁବନେଶ୍ବରରୁ ସାରା ବିଶ୍ବକୁ ଶାନ୍ତିର ମନ୍ତ୍ର ଦେଇଛନ୍ତି ମୋଦି । ଏଥିପାଇଁ ସେ ସମ୍ରାଟ ଅଶୋକଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ କିଭଳି ଶାନ୍ତିର ବାଟ ବାଛିଥିଲେ। କେଉଁଭଳି ଭାବେ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟି ଯାଇଥିଲେ ତାର ଉଦାହରଣ ଦେଇଛନ୍ତି । ଏଥିସହ ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଛନ୍ତି ମୋଦି।
କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ ଯୋଗଦେଇଥିବା ବେଳେ ଓଡିଶାର କଳା ଓ ସଂସ୍କୃତି ସମ୍ପର୍କରେ ପ୍ରବାସୀଙ୍କୁ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ଅଭିଯାନରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଜୟଶଙ୍କର । ଯାହା ଫଳରେ ସମଗ୍ର ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ନିବେଶକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହ। ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।