କନକବ୍ୟୁରୋ : ରଙ୍ଗର ପର୍ବ ହୋଲି । ଏହି  ଦିନରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ ।

Advertisment

ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଏହି ଦିନକୁ ପାଳନ କରାଯାଏ ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ ।  ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି ।

ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁ ଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚ୍ଚନା  କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ  । ପୁନେଇଁ ଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ ।

ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।  ଦୋକାନରେ ପିଚକାରୀକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏବେ  ଲକ୍ଷ୍ନୌର ଲକ୍ଷେ ଟଙ୍କିଆ ପିଚକାରୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି , ଚର୍ଚ୍ଚାରେ ରହିଛି ଲକ୍ଷେ ଟଙ୍କିଆ ପିଚକାରୀ , ଆପଣ ବି ଏ ଖବର ଶୁଣିବା ପରେ ଚକିତ ହେଉଥିବେ କିନ୍ତୁ ଏ ଖବର ଟି ପୁରା ବାସ୍ତବିକ ଘଟଣା ତାହା ପୁଣି ଲକ୍ଷ୍ନୌରେ ଦେଖିବାକୁ ମିଳିଛି   ।

ପିଚକାରୀ ପୁଣି ଲକ୍ଷେ ଟଙ୍କା ? ଶହେ କି ହଜାରେ ନୁହେଁ ଲକ୍ଷେ ଟଙ୍କା... ଦାମ୍ ଶୁଣି ଆପଣ ଚକିତ ବି ହୋଇଥିବେ ନିଶ୍ଚିତ  ।  ହଁ ଆଜ୍ଞା, ଲକ୍ଷେ ଟଙ୍କାର ପିଚକାରୀ, ଯାହା ଉତ୍ତରପ୍ରଦେଶ ଲକ୍ଷ୍ନୌରେ ହିଁ ମିଳୁଛି  । ହୋଲି ଉପଲକ୍ଷେ ଏହି ସ୍ବତନ୍ତ୍ର ପିଚକାରୀର ଦାମ ଲକ୍ଷେ ଟଙ୍କା   ।  କିନ୍ତୁ ଏହି ପିଚକାରୀ ଟି କୌଣସି ରଙ୍ଗ ଦୋକାନରେ ମିଳୁନି , ଆପଣ ଏବେ ଭାବୁଥିବେ ଏ ପିଚକାରୀ ମିଳୁଛି କେଉଁଠି ।  ଏ ପିଚକାରୀ ଟି ସୁନା ଦୋକାନରେ ମିଳୁଛି , ଏହି ପିଚକାରୀ ଟି ଲକ୍ଷ୍ନୌ ର ଜଣେ ବ୍ୟବସାୟୀ ତିଆରି କରିଛନ୍ତି ।  ଏହା ପୁରାପୁରି ରୂପାରେ ତିଆରି ହୋଇଛି ରୂପାରେ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ପିଚକାରୀ ସହ ଗୋଟେ  ରୂପାର ବାଲଟି  ମଧ୍ୟ ମିଳୁଛି । 

ତେବେ ସୁନା ବ୍ୟବସାୟୀ ଆଦେଶ ଜୈନ କହିବା କଥା ଏହି ସ୍ବତନ୍ତ୍ର ପିଚକାରୀ ଆମ ପୁରୁଣା ପରମ୍ପରାର ପ୍ରତୀକ ।  ଯାହାକୁ ବିବାହରେ ବହୁଳ ଭାବରେ ଉପହାର ସ୍ବରୁପ ଦିଆଯାଏ ।  ନବବିବାହିତ ଦମ୍ପତ୍ତିଙ୍କୁ କେହି କେହି ସେମାନଙ୍କ ଜୀବନ ରଙ୍ଗୀନ ହେବାର ଆଶାରେ ଏହାକୁ ଉପହାର ଦିଅନ୍ତି ।  ତେବେ ଝିଅ ଘର ପକ୍ଷରୁ ପୁଅ ଘରକୁ ଏହି ରୂପାର ପିଚକାରୀ ଦିଆଯାଏ ।  ଏହି ସ୍ବତନ୍ତ୍ର ପିଚକାରୀର ଦାମ ୮୦୦୦ରୁ ଆରମ୍ଭ ହୋଇ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଏବେ ଜାଣନ୍ତୁ ହୋଲି ଖେଳ ପଛରେ ପୌରାଣିକ ତତ୍ତ୍ବ 

ଅସୁର ରାଜା ହିରଣ୍ୟକଶ୍ୟପ ନିଜ ପୁଅ ପ୍ରହଲ୍ଲାଦଙ୍କୁ ମାରିବାକୁ ଷଡ଼ଯନ୍ତ୍ର ରଚିଥିଲେ ।  କାରଣ ପ୍ରହଲ୍ଲାଦ ଥିଲେ ବିଷ୍ଣୁଙ୍କ ପରମ ଭକ୍ତ ।  ଆଉ ହିରଣ୍ୟକଶ୍ୟପ ଏଥିରେ ଖୁବ୍ ରାଗିଯାଇ ନିଜ ଭଉଣୀ ହୋଲିକା ମାଧ୍ୟମରେ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ । ହୋଲିକାକୁ ବର ମିଳିଥିଲା ଯେ, ସେ ନିଆଁରେ ଜଳିବ ନାହିଁ ।  ହେଲେ ସେ ଯେତେବେଳେ ପ୍ରହଲ୍ଲାଦଙ୍କୁ ଧରି ନିଆଁ ଭିତରକୁ ଗଲେ, ପ୍ରହଲ୍ଲାଦ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ଆଉ ହୋଲିକା ନିଆଁ ପୋଡ଼ି ହୋଇ ପ୍ରାଣତ୍ୟାଗ କଲେ ଓ ପ୍ରହଲ୍ଲାଦ ବଞ୍ଚିଗଲେ । ଅନ୍ୟ ଏକ ପୌରାଣିକ ତତ୍ତ୍ୱ ଅନୁସାରେ ରାଧା-କୃଷ୍ଣଙ୍କ  ସାତ୍ୱିକ ପ୍ରେମର ପ୍ରମାଣ ହେଉଛି ହୋଲି ଖେଳ ।