କନକ ବ୍ୟୁରୋ: ଉଦଘାଟନକୁ ବର୍ଷେ ପୂରିନି, ଲକ୍ଷ୍ମୀଛଡ଼ା ହୋଇଗଲାଣି ଲକ୍ଷ୍ମୀ ବସ୍ ଷ୍ଟପ୍ । କୋଟିକୋଟି ଟଙ୍କା ବାଟମାରଣା କରି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଜିଲ୍ଲାର ପ୍ରତି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ଚଳାଚଳ ପାଇଁ ସବୁ ପଞ୍ଚାୟତରେ ବସ୍ ଷ୍ଟପ୍ ନିର୍ମାଣ କରାଯାଇଥିଲା । ହେଲେ ଏବେ ଏସବୁର ଅବସ୍ଥା ସାଂଘାତିକ । ବସ୍ ଷ୍ଟପକୁ ଯିବା ପାଇଁ ଯାତ୍ରୀ ଡରୁଛନ୍ତି । 

Advertisment

ବଲାଙ୍ଗୀର- ପାଟଣାଗଡ଼ ରାସ୍ତାରେ ଝାଙ୍କରପାଲିସ୍ଥିତ ଲକ୍ଷ୍ମୀ ବସ୍ ଷ୍ଟପ୍। ଦେଖନ୍ତୁ ଏହାର ଅବସ୍ଥା। ପ୍ରାୟ ୫ ଲକ୍ଷ ଟଙ୍କାରେ ନିର୍ମିତ ଏହି ବସ୍ ଷ୍ଟପରେ ସବୁ ନଷ୍ଟ ହୋଇଗଲାଣି, ଟାଇଲଗୁଡ଼ିକ ଭାଙ୍ଗି ଗଲାଣି । ନିମ୍ନ ମାନର କାମ  ଯୋଗୁ  ଏଭଳି  ଅବସ୍ଥା ହୋଇଥିବା ଲୋକ ଅଭିଯୋଗ କରିଛନ୍ତି। ଖରାବର୍ଷାରୁ ରକ୍ଷା ପାଇବା ପାଇଁ ଏଠାରେ ଛିଡା ହେବାକୁ ଯାତ୍ରୀ ଡରୁଛନ୍ତି।  ମୁଣ୍ଡ ଉପରେ ପଲସ୍ତରା ଓ ଟାଇଲ ଖସି ପଡ଼ିବାର ଭୟ ରହୁଛି ।

ବଲାଙ୍ଗୀର ଜିଲ୍ଲାର ସମସ୍ତ ୩୧୭ଟି  ପଞ୍ଚାୟତରେ ଲକ୍ଷ୍ମୀ ବସ୍ ଷ୍ଟପ  ତିଆରି  ହୋଇଥିଲା । ପ୍ରତି ବସ୍ ଷ୍ଟପ୍ ପାଇଁ  ଖର୍ଚ୍ଚ ହୋଇଥିଲା ପ୍ରାୟ ୫ ଲକ୍ଷ ଟଙ୍କା । ଗତବର୍ଷ ଫେବ୍ରୁୟାରୀ ମାସରେ ଏସବୁ ଉଦଘାଟନ ହୋଇଥିଲା। କିନ୍ତୁ ମାସ କେଇଟା ନପୁରୁଣୁ ବସ ଷ୍ଟପ ଗୁଡିକ ସବୁ  ଭାଙ୍ଗି ଗଲାଣି । ବିଭାଗୀୟ ବାବୁଙ୍କଠାରୁ ଆରମ୍ଭ କରି  ନେତାମାନେ ପିସି ଖାଇଥିବାରୁ ନିମ୍ନମାନର କାମ  ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ଗୋଟିଏ ଦୁଇଟି ନୁହେଁ, ବଲାଙ୍ଗୀର ଜିଲ୍ଲାର ପ୍ରାୟ ସବୁ ଲକ୍ଷ୍ମୀ ବସ୍ ଷ୍ଟପର ଏମିତି ଅବସ୍ଥା । ଉପଯୁକ୍ତ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।