କନକ ବ୍ୟୁରୋ : ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ନାଁରେ ୧୯୪୬ ମସିହାରେ ମାଳତୀ ଦେବୀ ଏହି ଛାତ୍ରାବାସ ପ୍ରତିଷ୍ଠା କରିଥିଲେ । ସ୍ବାଧୀନତା ସଂଗ୍ରାମୀଙ୍କ ପିଲା ଓ ଗରିବ ପିଲାଙ୍କ ପାଇଁ ଏହା ଉଦ୍ଦିଷ୍ଟ ଥିଲା । ପ୍ରଥମରୁ ଏଠାରେ ୩୦୦ ପିଲା ରହିବା ବ୍ୟବସ୍ଥା ଥିଲା । ଶହଶହ ପିଲା ଏଠି ପଢ଼ି ବଡ଼ ମଣିଷ ହୋଇଛନ୍ତି । କିନ୍ତୁ ଗାନ୍ଧୀ ଓ ରବିନ୍ଦ୍ରନାଥ ଟାଗୋରଙ୍କ ଭଳି ମହାନ ବ୍ୟକ୍ତିଙ୍କ ବିଚାରଧାରାରେ ଚାଲିଥିବା ଏହି ଛାତ୍ରାବାସ ଜରାଜୀର୍ଣ୍ଣ ହୋଇପଡ଼ିଛି । ଜରିପାଲ ଭରସାରେ ଛାତ୍ରାବାସ । କାନ୍ଥ, ଆଜବେଷ୍ଟସ ଛାତ ସହ କର୍ମୀଙ୍କ ଘର ମଧ୍ୟ ଭାଙ୍ଗି ଯାଇଛି । ପାଚେରି ମଧ୍ୟ ନାହିଁ । ଦୟନୀୟ ଅବସ୍ଥାରେ ଏବେ ୧୫୦ ପିଲା ରହୁଛନ୍ତି ।
ବାଜି ରାଉତ ଛାତ୍ରାବାସ ସହ ଗୋଟିଏ କ୍ୟାମ୍ପସରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବାସଭବନ ବାପି-ନୁମା କୁଟୀରରେ ବର୍ଷାଦିନେ ପାଣି ଝରୁଛି ଓ ଖରାଦିନେ ସୂର୍ଯ୍ୟ କିରଣ ପଡୁଛି । ଗତ ସରକାର ଏସବୁ ଅନୁଷ୍ଠାନର ଉନ୍ନତି ପାଇଁ ୨୪ କୋଟି ଟଙ୍କା ଘୋଷଣା କରିଥିଲେ । କିନ୍ତୁ କିଛି ମିଳିଲାନାହିଁ । ବର୍ତ୍ତମାନର ସରକାର ରକ୍ଷଣାବେକ୍ଷଣ ପାଇଁ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ନବକୃଷ୍ଣ ଚୌଧୁରୀ ସ୍ମୃତିପୀଠର ବିକାଶ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ବାଜି ରାଉତ ଛାତ୍ରାବାସକୁ ୮୦ ବର୍ଷ ହୋଇଗଲାଣି । କେତେ ସରକାର ଆସିଛି, ଯାଇଛି । କିନ୍ତୁ ସେମିତି ଅବହେଳିତ ପଡ଼ିରହିଛି ଏହି ମଣିଷଗଢ଼ା କାରଖାନା । ଖଣ୍ଡପଡା ବିଧାୟକ ଥିବାବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାରେ ଏହି ଛାତ୍ରାବାସ କଥା ଉଠାଇବାରୁ ଏହାର ଉନ୍ନତି ପାଇଁ ତତ୍କାଳୀନ ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି କେତେ ପୂରଣ ହୋଇଛି ତାହା ଆପଣଙ୍କ ସାମନାରେ । ଆଉ ଏବେ ବର୍ତ୍ତମାନର ସରକାରଙ୍କ ଉପରେ ସମସ୍ତଙ୍କ ଆଖି ।